ବିଭିନ୍ନ ଦାବି ନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝର,୧୬।୧୨(ସ୍ବ.ପ୍ର.): କାଳିଆ ଯୋଜନାରେ ଚାଷୀଙ୍କୁ ବର୍ଷକୁ ୧୦ହଜାର ଟଙ୍କା ଦେବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ଏବେ ଚାଷୀଙ୍କୁ ଭଣ୍ଡାଇ ୬ହଜାର ଟଙ୍କା କରିଛନ୍ତି। ଏହାର ପ୍ରତିବାଦରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏତଲା ଦିଆଯାଇଥିଲା। ଚାଷୀମାନଙ୍କ ସହ ଠକେଇ ଏବଂ ବିଶ୍ୱାସଘାତକତା କରାଯାଇଥିବାରୁ ଆଇପିସି ଧାରା ୪୧୫/ ୪୨୦/୪୦୯/୪୦୬/ ଧାରାରେ ମାମଲା ରୁଜୁକରି ଗିରଫ କରିବାକୁ ଦାବି ହୋଇଛି। ସରକାର ଚାଷୀ ବଞ୍ଚିଲେ ଦେଶ ବଞ୍ଚିବ, ଚାଷୀ ହସିଲେ ଦେଶ ହସିବ ସ୍ଲୋଗାନ ଦେଇଥିଲେ। କିନ୍ତୁ ଚାଷୀମାନଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ କିମ୍ବା ସହାୟତା ମିଳୁନାହିଁ। ଏପରିକି କାଳିଆ ଯୋଜନାରେ ବହୁ ଚାଷୀଙ୍କୁ ସହାୟତା ରାଶି ମିଳୁ ନ ଥିବା ଅଭିଯୋଗ କରିଛନ୍ତି। ଆଇନଗତ ବିଜ୍ଞପ୍ତି ପ୍ରକାଶକରି ମଧ୍ୟ ଚାଷୀଙ୍କୁ ୧୦ ହଜାର ଟଙ୍କା ଦେଲେ ନାହିଁ। ଏନେଇ ୭୩୫ କୋଟି ଟଙ୍କା ଆପତ୍‌କାଳୀନ ପାଣ୍ଠିରୁ ଉଠାଇଲେ। ଏଥିପାଇଁ ଅସାମ୍ବିଧାନିକ ଭାବରେ ଟଙ୍କା ଆପତ୍‌କାଳୀନ ପାଣ୍ଠିରୁ ଟଙ୍କା ଉଠାଯାଇଛି। ଏବେ ରାଜ୍ୟ ସରକାର ୬ ହଜାର ଟଙ୍କା ଓ କେନ୍ଦ୍ର ୪ ହଜାର ଟଙ୍କା ମିଶାଇ ୧୦ ହଜାର ଟଙ୍କା ଦେବାକୁ ଘୋଷଣା କରାଯାଉଛି। ଏଣୁ ଚାଷୀଙ୍କୁ ଠକେଇ କରାଯାଇଥିବାରୁ ଆଇନଗତ ଭାବରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଠକେଇ ଓ ବିଶ୍ୱାସଘାତକତା ମାମଲା ରୁଜୁ କରିବା ସହ ଗିରଫ କରିବାକୁ ଦାବି କରୁଛୁ ବୋଲି ସଂଗଠନର ରାଜ୍ୟ ମୁଖ୍ୟ ଅକ୍ଷୟ କୁମାର କହିଛନ୍ତି । ଯଦି କେସ୍‌ ରୁଜୁ କରା ନ ଯାଏ ତେବେ ଜନସ୍ବାର୍ଥ ମାମଲା ରୁଜୁ କରାଯିବ । ରାଜ୍ୟର ସମସ୍ତ ଜିଲା ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏତଲା ଦିଆଯାଇଥିବା ଅକ୍ଷୟ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲା ସଂଯୋଜକ ଲକ୍ଷ୍ମୀଧର ପ୍ରଧାନ ତଥା ଅନ୍ୟ ରାଜ୍ୟ ଓ ଜିଲାର କୃଷକ ନେତା ଓ ଚାଷୀମାନେ ଉପସ୍ଥିତ ଥିଲେ।