ବିଭିନ୍ନ ଦାବି ନେଇ ବିକ୍ଷୋଭ

ବାରିପଦା ଅଫିସ,୨୪ା୧୦- ବିଭିନ୍ନ ଦାବି ନେଇ ଡେମୋକ୍ରେଟିକ ୟୁଥ ଅର୍ଗାନାଇଜେଶନ ପକ୍ଷରୁ ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରା ବାରିପଦା ସହର ପରିକ୍ରମା କରିଥିଲା। ଜିଲାର ସମସ୍ତ ବେକାର ଯୁବତୀଯୁବକମାନଙ୍କୁ ନିଯୁକ୍ତି ନ ମିଳିବା ପର୍ଯ୍ୟନ୍ତ ବେକାରୀ ଭତ୍ତା ପ୍ରଦାନ, ଜିଲାରେ ଶ୍ରମ ଭିତ୍ତିକ କାରଖାନା ପ୍ରତିଷ୍ଠା କରି ଦାଦନ ଶ୍ରମିକ ସମସ୍ୟାର ସମାଧାନ କରିବା, ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କୁ ଉଚ୍ଛେଦ ନିର୍ଦ୍ଦେଶ ପ୍ରତ୍ୟାହାର କରିବା, ବାଙ୍ଗିରିପୋଷି-ବାଦାମପାହାଡ-କେନ୍ଦୁଝର ଓ ବୁଢ଼ାମରା-ଚାକୁଳିଆ ରେଳପଥ ସଂଯୋଗ କରିବା, ବନ୍ଦ ଥିବା କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା ଏବଂ ଖଣି ଖାଦାନ ଖୋଲିବା,ଜିଲାରେ ମାଦକ ଦ୍ରବ୍ୟ କାରବାର ବନ୍ଦ କରିବା, ପ୍ରତ୍ୟେକ ବ୍ଲକରେ ଷ୍ଟାଡିୟମ ପ୍ରତିଷ୍ଠା କରିବା, ନୂତନ ମୋଟରଯାନ ଆଇନ ପ୍ରତ୍ୟାହାର କରିବା ଆଦି ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା। ଏନେଇ ଏକ ଦାବିପତ୍ର ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା। ବିକ୍ଷୋଭ ସଭାରେ ଜିଲା ସଭାପତି ପୀତାମ୍ବର ନାଏକ ସଭାପତିତ୍ୱ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିୱାଇଓ ରାଜ୍ୟ ସମ୍ପାଦକ କେଦାରନାଥ ସାହୁ, ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକ, ଜିଲା ସମ୍ପାଦକ ଲଲିତ ମହାନ୍ତ, ମନୋଜ ମହାନ୍ତ, ଉମାନ ମାଝୀ, ସୋମା ସାମୁରାଏ, ଲକ୍ଷ୍ମଣ ଦେହୁରୀ, ଚନ୍ଦ୍ର ମୋହନ ଦାସ, ଦେବେନ୍ଦ୍ର ଜାମୁଦା, ପ୍ରମୋଦ ମହାନ୍ତ, ରାମଚନ୍ଦ୍ର ହେମ୍ବ୍ରମ, ପଦ୍ମ ଦେହୁରୀ ପ୍ରମୁଖଙ୍କ ସମେତ ଜିଲାର ବେକାର ଯୁବତୀଯୁବକମାନେ ଉପସ୍ଥିତ ଥିଲେ।