ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ଜିଲାପାଳ

ଦାରିଙ୍ଗବାଡ଼ି,୪।୧୨(ଡି.ଏନ.ଏ)-କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ମଙ୍ଗଳବାର ଦାରିଙ୍ଗବାଡ଼ି ଗସ୍ତ କରିଛନ୍ତ। ପ୍ରଥମେ ତହସିଲ କାର୍ଯ୍ୟାଳୟରେ ପହଞ୍ଚତ୍ କାଗଜପତ୍ର ଯାଞ୍ଚ କରିବା ସହ ତହସିଲଦାର ନୀତିଶ ତ୍ରୀପାଠିଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପରେ ଦାରିଙ୍ଗବାଡ଼ି ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ। ଦାରିଙ୍ଗବାଡ଼ି ପଞ୍ଚାୟତର ଡବେରୀ ପାନୀୟ ଜଳ ପ୍ରକଳ୍ପ ସମେତ ଶ୍ରାନିକେତା, ସୁଲୁମାହା, ସିମନବାଡ଼ି, ବାଡାବାଙ୍ଗା ଏବଂ ସିକକେତାର ନୂତନ ପାନୀୟଜଳ ପ୍ରକଳ୍ପ ବୁଲି ଦେଖିଛନ୍ତି। ୫୯ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାରଣରୁ ସୁଲୁମାହାରେ ପାନୀୟଜଳ ପ୍ରକଳ୍ପର ପାଇପ ଗୁଡ଼ିକ ଫାଟି ନଷ୍ଟ ହୋଇଛି ସେ ସମ୍ପର୍କରେ ଲୋକ ଅଭିଯୋଗ କରିଥିଲେ। ରାସ୍ତା ସମ୍ପ୍ରସାରଣ କାମ ଶେଷପରେ ତାକୁ ମରାମତି କରାଯିବ ଏବଂ ଆବଶ୍ୟକସ୍ଥଳେ ନୂତନ ପାଇପ୍‌ ପକାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। ସେହିପରି ସୁଲୁମାହାଠାରେ ଏକ ଚେକଡ୍ୟାମ କାର୍ଯ୍ୟ ଚାଲିଥିବାବେଳେ କେତେକ ତ୍ରୁଟି ରହିଥିବା ଦେଖି ଜିଲାପାଳ ଉଦ୍‌ବେଗ ପ୍ରକାଶ କରିବା ସହ ତାକୁ ସଜାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ଗସ୍ତ ସମୟରେ ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ମହନ୍ତଙ୍କ ସମେତ ସହକାରୀ ନିର୍ବାହୀ ଯନ୍ତ୍ରୀ ଅମିତ କୁମାର ସେଠି, କନିଷ୍ଠ ଯନ୍ତ୍ରୀ ଜ୍ୟୋତିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Share