ବିଭିନ୍ନ ସମସ୍ୟା ନେଇ ଡଙ୍ଗରିଆ ଆଦିବାସୀଙ୍କ ଗଣ ବିକ୍ଷୋଭ: ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ମୁନିଗୁଡ଼ା,୮।୧୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ଶୁକ୍ରବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଲୋକଙ୍କ ମୌଳିକ ଅଧିକାର ନେଇ ଡଙ୍ଗରିଆ ଆଦିବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏ ନେଇ ମୁନିଗୁଡ଼ା ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛିି। ଏହି ଅବସରରେ ୫ ଶହରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଡଙ୍ଗରିଆ ଆଦିବାସୀ ଏକତ୍ରିତ ହୋଇ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସ୍ଥାନୀୟ ମୁନିଖୋଲ ପଞ୍ଚାୟତ କାର୍ଯ୍ୟାଳୟରୁ ଏକ ରାଲିରେ ବାହାରି ସହର ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ଦେଇ ବିଡିଓଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୯ ଦଫା ଦାବିପତ୍ର  ବିଡିଓ ଦିଲ୍ଲୀପ କୁମାର ବେହେରାଙ୍କୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଦାବିପତ୍ରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ଦିଆ ନ ଯିବା, ନିୟମଗିରି ଅଞ୍ଚଳରେ ଅଧିକାଂଶ ଲୋକଙ୍କ ଆଧାର କାର୍ଡ ନ ଥିବାରୁ ରାସନ ବନ୍ଦ କରାଯାଇଥିବା ଆଦି ସମସ୍ୟାର ସମାଧାନ ନେଇ ଉଲ୍ଲେଖ ରହିଛି। ଯଥାଶୀଘ୍ର ଉକ୍ତ ଦାବି ପୂରଣ କରା ନ ଗଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ରାଜ୍ୟ ଲୋକ ଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରାୟ ଓ ସମାଜବାଦୀ ଜନ ପରିଷଦ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲିଙ୍ଗରାଜ ଆଜାଦ ପ୍ରକାଶ କରିଛନ୍ତିl ଅନ୍ୟମାନଙ୍କ ମଧ୍ୟରେ ନିୟମଗିରି ସୁରକ୍ଷା ସମିତିର ଦଧି ପୁଷିକା, ଦାସରୁ କାଡ୍ରାକା, କୃଷ୍ଣ ସିକ୍‌କା, ସମ୍ବା ହୁଇକା ପ୍ରମୁଖ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।