ବିଭିନ୍ନ ସମସ୍ୟା ନେଇ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ବ୍ରହ୍ମପୁର ଅଫିସ୍‌,୨୧।୯: ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ଆଇନ ମହାବିଦ୍ୟାଳୟ ତଥା ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଉତ୍ତମ ଶ୍ରେଣୀ ଗୃହ ଅଭାବ , ଶିକ୍ଷକ ପଦବୀ ଖାଲି, ପିଇବା ପାଣି ଆଦି ସମସ୍ୟାର ସମାଧାନ ଲାଗି ୨୦୧୭ରୁ ଛାତ୍ରୀଛାତ୍ର ଆନ୍ଦୋଳନ କରିଆସୁଛନ୍ତି। ହେଲେ ଏଯାବତ୍‌ କୌଣସି ସୁଫଳ ମିଳିପାରିନାହିଁ। ତେବେ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଥିବା ବେଳେ ତୁରନ୍ତ ସମସ୍ୟାର ସମାଧାନ ଲାଗି ଶନିବାର ଛାତ୍ରୀଛାତ୍ର ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯଦି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଆସନ୍ତା ୨୫ ତାରିଖରୁ ଆମରଣ ଅନଶନ ଆନ୍ଦୋଳନ କରାଯିବ ବୋଲି ଛାତ୍ରୀଛାତ୍ର ଚେତାବନୀ ଦେଇଛନ୍ତି । ଲାଇବ୍ରେରିଆନ୍‌ ଆସନ୍ତା ଦୁଇ ମାସ ଭିତରେ ଅବସର ନେବେ। ଏଣୁ ଜଣେ ନୂତନ ଲାଇବ୍ରେରିଆନ୍‌କୁ ନିଯୁକ୍ତି , ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ଠାରୁ ଲାଇବ୍ରେରୀ ଫି’ ବାବଦରେ ୧୫୦ ଟଙ୍କା ଆଦାୟ କରା ନ ଯିବା, ନୂତନ ବହି ଯୋଗାଣ, କ୍ରୀଡ଼ା ଏବଂ ଛାତ୍ର ସଂସଦ ବାବଦରେ ୩୦୦ ଟଙ୍କା ଆଦାୟ ବନ୍ଦ ଆଦି ଦାବି ହୋଇଛି। ତୁରନ୍ତ ଏସବୁ ସମସ୍ୟାର ସମାଧାନ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ, ଜିଲାପାଳ, ବ୍ରହ୍ମପୁର ଏସ୍‌ପି, ଓଡ଼ିଶା ବାର୍‌ କାଉନସିଲ୍‌, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍‌, ଗୋପାଳପୁର ବିଧାୟକ, ବ୍ରହ୍ମପୁର ଏମ୍‌ପି ପାଖକୁ ପତ୍ର ପଠାଯାଇଛି । ଚିନ୍ମୟ କୁମାର ହୋତା, ଅନିଲ କୁମାର ବେହେରା, ବି.ମନୋଜ, ବି.ତେଜେଶ୍ୱର, ଶ୍ରୀକାନ୍ତ କୁମାର ସେଠୀ, ସାଇ ପ୍ରସାଦ ପାଢ଼ି, ଅମରେଶ ଚୌଧୁରୀ, ପି.ଭରତ, ଶୁଭାଶିଷ ବେହେରା, ବି.ନଳନୀଙ୍କ ସମେତ ବହୁ ଛାତ୍ରୀଛାତ୍ର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।