ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ‘ମୋ ସ୍କୁଲ ଅଭିଯାନ’ ଅଧ୍ୟକ୍ଷା: ‘ପାଠପଢ଼ା ସହ ସାମାଜିକ କାର୍ଯ୍ୟରେ ବ୍ରତୀ ହୁଅ’

ବାଲେଶ୍ୱର ଅଫିସ/ସଜନାଗଡ଼, ୮।୧୧(ଡି.ଏନ.ଏ.)-‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଗୁରୁବାର ବାଲେଶ୍ୱର ଜିଲାର ବିଭିନ୍ନ ସ୍କୁଲ ପରିଦର୍ଶନ କରି ଛାତ୍ରୀଛାତ୍ରମାନଙ୍କର ପାଠପଢ଼ା ସମ୍ପର୍କରେ ବୁଝିଛନ୍ତି। ଏହାସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ସହଯୋଗ କରିବା ପାଇଁ ସେ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଛନ୍ତି। ସେହିପରି ପ୍ରତ୍ୟେକ ସ୍କୁଲରେ ପୁରାତନ ଛାତ୍ର ସଂସଦ ଗଠନ କରି ସ୍କୁଲ ପରିଚାଳନା ସମ୍ପର୍କରେ ଶିକ୍ଷୟିତ୍ରୀଶିକ୍ଷକଙ୍କ ସହ ଆଲୋଚନା କରିଥିଲେ।
ଅଧ୍ୟକ୍ଷାଙ୍କ ସମେତ ମୁଖ୍ୟ ପରିଚାଳକ ଅମରଜିତ୍‌ ଜେନା, କାର୍ଯ୍ୟକାରିଣୀ ସଦସ୍ୟ ପାର୍ଥବୀର ସାମଲ ବୁଧବାର ସନ୍ଧ୍ୟାରେ ବାଲେଶ୍ୱର ପହଞ୍ଚିଥିଲେ। ଗୁରୁବାର ପୂର୍ବାହ୍ନ ୯ଟାରେ ପ୍ରଥମେ ନୀଳଗିରିସ୍ଥିତ ରନତ୍ାକର ଟାଉନ ହାଇସ୍କୁଲ ପହଞ୍ଚିଥିଲେ। ସେଠାରେ ନୀଳଗିରି ବିଇଓ ଭାଗିରଥି ଗିରି ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର, ସ୍କୁଲର ଶିକ୍ଷୟତ୍ରୀଶିକ୍ଷକ ଓ କର୍ତ୍ତୃପକ୍ଷ, ପୂର୍ବତନ ଛାତ୍ରୀଛାତ୍ରମାନେ ତାଙ୍କୁ ସ୍ବାଗତ ଜଣାଇଥିଲେ। ରାଜ୍ୟରେ ଉକ୍ତ ବିଦ୍ୟାଳୟ ‘ମୋ ସ୍କୁଲ ଅଭିଯାନ’ରେ ଅଧିକ ଅର୍ଥ ଯୋଗାଡ଼ କରି ପ୍ରଥମ ହୋଇଥିବାରୁ ଅଧ୍ୟକ୍ଷା ବାଗ୍‌ଚୀ ଅଞ୍ଚଳବାସୀ ତଥା ପୁରାତନ ଛାତ୍ରୀଛାତ୍ରଙ୍କୁ ଧନ୍ୟବାଦ ଜଣାଇଥିଲେ। ପରେ ପୂର୍ବାହ୍ନ ୧୧ଟାରେ ସୁନହଟ୍‌ସ୍ଥିତ ଶକୁନ୍ତଳା ଗାର୍ଲସ ହାଇସ୍କୁଲ, ସାଢ଼େ ୧୨ଟାରେ ଜିଲା ହାଇସ୍କୁଲ ପରିଦର୍ଶନ କରି ଉକ୍ତ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କ ସହ ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ଜିଲା ବିଜ୍ଞାନ ପରିଚାଳକ କୃଷ୍ଣମୋହନ ସିଂହ ସାମିଲ ଥିଲେ। ଅପରାହ୍ନ ୩ଟାରେ ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି) ଅଫିସ୍‌ ସମ୍ମିଳନୀ କକ୍ଷରେ ଏକ ରିଭ୍ୟୁ ମିଟିଂ ଆୟୋଜନ କରାଯାଇଥିଲା। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ପ୍ରତ୍ୟେକ ବ୍ଲକ ଶିକ୍ଷାଧିକାରୀ, ୩୦ରୁ ଊର୍ଦ୍ଧ୍ୱ ପ୍ରଧାନଶିକ୍ଷକ ଯୋଗଦେଇ ଛାତ୍ରୀଛାତ୍ରମାନଙ୍କ ପାଠପଢ଼ାରେ ସହାୟତାରେ ଉତ୍ସାହିତ କରିବା ପାଇଁ ବିଭିନ୍ନ ଦିଗ ପୁରାତନ ଛାତ୍ରୀଛାତ୍ରମାନଙ୍କୁ ନେଇ ଗଠିତ ପରିଚାଳନା କମିଟି ମାଧ୍ୟମରେ କିପରି ଭାବରେ ବିଦ୍ୟାଳୟକୁ ସୁପରିଚାଳନା କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରେ ଉକ୍ତ ‘ମୋ ସ୍କୁଲ ଅଭିଯାନ’ ଦଳ ମୟୂରଭଞ୍ଜ ଜିଲା ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି।