ବିଭ୍ରାଟ ଭିତରେ ଭୋଟ: ଯାନ୍ତ୍ରିକ ତ୍ରୁଟି, ତାତି, କାଳବୈଶାଖୀ

ଢେଙ୍କାନାଳ ଅଫିସ/ ପରଜଙ୍ଗ/କାମାକ୍ଷାନଗର (ଡି.ଏନ୍‌.ଏ.), ୨୪।୪- ସକାଳେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି, ମଧ୍ୟାହ୍ନରେ ପ୍ରବଳ ଗ୍ରୀଷ୍ମପ୍ରବାହ ଆଉ ଅପରାହ୍ନରେ କାଳବୈଶାଖୀ ଝଡ଼ବର୍ଷା, ଢେଙ୍କାନାଳ ଜିଲାର ଭୋଟରଙ୍କ ଉତ୍ସାହକୁ କମାଇପାରିନାହିଁ। ହେଲେ ମତଦାନ କେନ୍ଦ୍ରରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ନେଇ କେତେକ ସ୍ଥାନରେ ଅସନ୍ତୋଷ ଦେଖାଦେଇଥିଲା।

ଜିଲାର ବିଭିନ୍ନ ସ୍ଥାନରେ ଇଭିଏମ୍‌ ଏବଂ ଭିଭିପିଏଟି ଅଚଳ ହେବା ପରେ ଘଣ୍ଟା ଘଣ୍ଟା ଧରି ମତଦାନରେ ବିଳମ୍ବ ହୋଇଥିଲା। ଟାଣଖରା ସାଙ୍ଗକୁ ଅସହ୍ୟ ଝାଞ୍ଜି ସେଥିରେ ଦାଉ ସାଧିଥିଲା। ଜରୁରୀ କାମ ଛାଡ଼ି ଭୋଟଦେବାକୁ ଦୀର୍ଘ ସମୟ ଧରି ଧାଡ଼ିବାନ୍ଧି ଅପେକ୍ଷା କରିଥିବା ଭୋଟର ସମସ୍ୟାରେ ପଡ଼ିଥିଲେ। ମତଦାନ ପ୍ରକ୍ରିୟା ବିଳମ୍ବ ହେବାରୁ ଅନେକେ ଭୋଟ ଦେବାକୁ ଘରକୁ ପଳାଇଯାଇଥିଲେ। ସେମାନେ ଅପରାହ୍ନରେ ଭୋଟ ଦେବାକୁ ଆସିବାବେଳକୁ ମାଡ଼ି ଆସିଥିଲା ଝଡ଼ତୋଫାନ।