ବିମାନବନ୍ଦରରେ ଆଣ୍ଟି ଏୟାରକ୍ରାଫ୍ଟ ହାଇଜାକ୍‌ ମକ୍‌ ଡ୍ରିଲ୍‌

ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ଆଣ୍ଟି ଏୟାରକ୍ରାଫ୍ଟ ହାଇଜାକ୍‌ ମକ୍‌ ଡ୍ରିଲ୍‌ କରାଯାଇଛି। ଆତଙ୍କବାଦୀମାନେ ଯଦି କୌଣସି ପରିସ୍ଥିତିରେ ବିମାନ ଅପହରଣ ବା ବିମାନବନ୍ଦର ଆକ୍ରମଣ କରିବାକୁ ଉଦ୍ୟମ କରନ୍ତି, ତାହାକୁ କିପରି ପ୍ରତିହତ କରିହେବ ସେନେଇ ବିଭିନ୍ନ ପ୍ରଶିକ୍ଷଣ ଦିଆଯାଇଛି। ସୁରକ୍ଷା ବିଭାଗରେ ନିୟୋଜିତ ଥିବା ଅଧିକାରୀ ଓ କର୍ମଚାରୀମାନେ ଏ ନେଇ ଅଭ୍ୟାସ କରିଥିଲେ। ବର୍ଷ ତମାମ ଏଭଳି ଅନେକ ପ୍ରକାର ମକ୍‌ ଡ୍ରିଲ କରାଯାଉଥିବାବେଳେ ଥରେ ଆଣ୍ଟି ଏୟାରକ୍ରାଫ୍ଟ ହାଇଜାକ୍‌ ମକ୍‌ ଡ୍ରିଲ୍‌ କରାଯାଉଥିବା ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ କୌଣସି ପ୍ରକାର ଜରୁରିକାଳୀନ ପରିସ୍ଥିତିକୁ ସୁରକ୍ଷାକର୍ମୀମାନେ ସମ୍ପୂର୍ଣ୍ଣ ମୁକାବିଲା ପାଇଁ ସଜାଗ ଅଛନ୍ତି। ଚଳିତ ବର୍ଷ ଏହି ମକ୍‌ ଡ୍ରିଲରେ ବିମାନବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍‌ଏଫ୍‌, ରାଜ୍ୟ ପୋଲିସର ଷ୍ଟେଟ୍‌ ଟାକ୍‌ଟିକାଲ ୟୁନିଟ୍‌, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌, ଗୋଇନ୍ଦା ସଂସ୍ଥାର ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ। ରାଜ୍ୟ ସରକାରଙ୍କ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା, ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ସିଆଇଏସ୍‌ଏଫ୍‌ ଡେପୁଟି କମାଣ୍ଡାଣ୍ଟ ଭି.ଭି.ଏସ୍‌. ଗୌତମ ପ୍ରମୁଖ ବିମାନବନ୍ଦରରେ ଚାଲିଥିବା ମକ୍‌ ଡ୍ରିଲ୍‌ ସମୟରେ ଉପସ୍ଥିତ ଥିଲେ। ପ୍ରକାଶଥାଉ କି, ଦିଲ୍ଲୀ ବିମାନବନ୍ଦରରେ ଆର୍‌ଡିଏକ୍ସ ଜବତ ହେବାପରେ ଦେଶର ବିଭିନ୍ନ ବିମାନବନ୍ଦରରେ ସତର୍କତା ଅବଲମ୍ବନ କରାଯାଇଛି। ଏଥିସହ ଜମ୍ମୁକଶ୍ମୀରରୁ ଧାରା ୩୭୦ ହଟିବା ପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ଦେଶର ସମସ୍ତ ବିମାନବନ୍ଦରରେ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍‌ ପ୍ରୋସିଜିଓର(ଏସ୍‌ଓପି) ନେଇ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Share