ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣା: କଣ୍ଟ୍ରାକ୍ଟର ଦିଲ୍ଲୀପଙ୍କ ସମେତ ୪ ଗିରଫ

ଭୁବନେଶ୍ୱର, ୨୬।୧(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟର୍ମିନାଲ-୧ରୁ ଟର୍ମିନାଲ-୨କୁ ସଂଯୋଗ କରୁଥିବା ବିଲ୍ଡିଂ ଶୁକ୍ରବାର ରାତିରେ ଭୁଶୁଡିବା ଘଟଣାରେ ଦିଲ୍ଲୀପ କନ୍‌ଷ୍ଟ୍ରକଶନ କଣ୍ଟ୍ରାକ୍ଟର ଦିଲ୍ଲୀପ ଖଟେଇଙ୍କ ସମେତ ୪ ଜଣଙ୍କୁ ଶନିବାର ଗିରଫ କରାଯାଇଛି। ସେମାନେ ହେଲେ ଇଞ୍ଜିନିୟର ଅଭିଳାଷ ସରକାର, ଆଶିଷ ସରକାର ଓ ବିମାନବନ୍ଦର ପ୍ରୋଜେକ୍ଟ ଇନଚାର୍ଜ ଗୌତମ ରାଏ। ଶନିବାର ଏମାନଙ୍କ ଜାମିନ ନାମଞ୍ଜୁର ହେବା ପରେ ରାତିରେ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଶୁକ୍ରବାର ରାତିରେ ଦିଲ୍ଲୀପ ଏବଂ ଇଞ୍ଜିନିୟରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିଲା। ଅନ୍ୟପଟରେ ଏହି କନ୍‌ଷ୍ଟ୍ରକ୍ସନ ସଂସ୍ଥାର ଅନ୍ୟ କେଉଁମାନେ ଦୁର୍ଘଟଣା ପଛରେ ସଂପୃକ୍ତ, ତାହା ଜଣାପଡ଼ିିବା ପରେ ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।
ବିମାନବନ୍ଦରର ଲିଙ୍କ୍‌ ବିଲ୍ଡିଂ ଭୁଶୁଡ଼ିବା ଯୋଗୁ ଇଲେଟ୍ରିସିଆନ ଅନ୍ତର୍ଯ୍ୟାମୀ ଗୁରୁଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ନବକିଶୋର ସ୍ବାଇଁ ଆହତ ହୋଇଥିଲେ। ତେବେ ଯେଭଳି ଭାବେ ବିଲ୍ଡିଂ ଛାତ ଭୁଶୁଡ଼ିଲା, ତାହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ନିମ୍ନ ମାନର କାର୍ଯ୍ୟ ନା ସେଣ୍ଟ୍ରିଂରେ ତ୍ରୁଟି ଯୋଗୁ ଏପରି ଘଟିଛି, ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି। ସେପଟେ ମୃତକ ଅନ୍ତର୍ଯ୍ୟାମୀଙ୍କ ଭାଇ ନିରାକାର ଗୁରୁ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ପୋଲିସ କେସ୍‌ ନଂ-୧୯/୨୦ରେ ଏକ ମାମଲା ରୁଜୁ କରି ସଂସ୍ଥାର ନିର୍ଦ୍ଦେଶକ ଦିଲ୍ଲୀପଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।

ତେବେ ଏହି ଦୁର୍ଘଟଣାର ତଦନ୍ତ ଦିଲ୍ଲୀର ଏକ ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍‌ କରିବ ବୋଲି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ବି.ଭି. ରାଓ କହିଛନ୍ତି। ଯାଞ୍ଚ କରିି ଟିମ୍‌ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହ ସମସ୍ତ ତଥ୍ୟ ଓ ପ୍ରମାଣ ଆଧାରରେ ପୋଲିସ ନିକଟରେ ଅଭିଯୋଗ କରାଯିବ। ମୃତବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦେବା କାର୍ଯ୍ୟ ସଂପୃକ୍ତ ଠିକା ସଂସ୍ଥାର ଦାୟିତ୍ୱ ବୋଲି ରାଓ କହିଛନ୍ତି।

Share