ବିମାନବନ୍ଦର ପାର୍ଶ୍ୱରୁ ହଟିବ ଦୁଇ ବସ୍ତି

ଭୁବନେଶ୍ୱର, ୧୩।୭(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସୀମାକୁ ଆହୁରି ବୃଦ୍ଧି କରାଯିବ। ହେଲେ ଏଥିପାଇଁ ବିମାନବନ୍ଦର ପାର୍ଶ୍ୱରେ ଥିବା ବସ୍ତି ବାଧକ ସାଜିଛି। ତେଣୁ ଉକ୍ତ ବସ୍ତିକୁ ଉଚ୍ଛେଦ କରାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ ସାଧାରଣ ପ୍ରଶାସନ ବିଭାଗକୁ ଏକ ଚିଠି ଲେଖିଛନ୍ତି। ବିମାନବନ୍ଦର ନିକଟରେ ଥିବା ୧.୬ ଏକର ସରକାରୀ ଜାଗା ଦେବାଲାଗି ଉକ୍ତ ଚିଠିରେ ବିମାନବନ୍ଦର କର୍ତ୍ତୃପକ୍ଷ ଉଲ୍ଲେଖ କରିଛନ୍ତି। ଏହି ଚିଠି ପରେ ସାଧାରଣ ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)କୁ ପଦକ୍ଷେପ ପାଇଁ ଜଣାଇଛନ୍ତି। ବିମାନବନ୍ଦର ନିକଟରେ ଥିବା ଗଣ୍ଡମୁଣ୍ଡା ଓ ଲକ୍ଷ୍ମୀ ବଜାର ବସ୍ତିକୁ ଉଚ୍ଛେଦ କରି ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ସ୍ଥାନ ଯୋଗାଇ ଦେବାକୁ କୁହାଯାଇଛି। ଗତ ୧୦ ତାରିଖ ଦିନ ବିଡିଏ କର୍ତ୍ତୃପକ୍ଷ ଏନେଇ ସେସବୁ ବସ୍ତି ବୁଲି ଦେଖିବା ସହ ଉଚ୍ଛେଦ ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି। କିନ୍ତୁ ବସ୍ତିରେ ଥିବା ଘରଗୁଡିକ ରାଜୀବ ଆବାସ ଯୋଜନାରେ ନିର୍ମିତ ହୋଇଥିବାରୁ ତୁରନ୍ତ ଉଚ୍ଛେଦ ହୋଇପାରି ନାହିଁ। ଏ ସଂକ୍ରାନ୍ତରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସହ ବିଡିଏ ଆଲୋଚନା କରିବା ପରେ ଆସନ୍ତା ୧୫ ଦିନ ମଧ୍ୟରେ ବସ୍ତିବାସିନ୍ଦାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ପ୍ରଥମେ ସେମାନଙ୍କୁ ଟ୍ରାଞ୍ଜିଟ ହାଉସ୍‌କୁ ସ୍ଥାନାନ୍ତର କରିବାକୁ ବିଏମ୍‌ସି ସ୍ଥିର କରିଛି। ତେବେ ଏଥିପାଇଁ ବସ୍ତିବାସିନ୍ଦାଙ୍କୁ ୬ମାସକୁ ୨ହଜାର ୫ଶହ ଟଙ୍କା ଭଡା ଦେବାକୁ ପଡିବ। ସ୍ଥାନାନ୍ତର ପରେ ସେଠାରେ ଉଚ୍ଛେଦ ଆରମ୍ଭ ହେବ ବୋଲି ବିଡିଏ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିଏମ୍‌ସି ଓ ବିଡିଏ ମିଳିତ ଭାବେ ଉକ୍ତ ଉଚ୍ଛେଦରେ ସାମିଲ ହେବେ। କମିଶନରେଟ ପୋଲିସ୍‌ ଉପସ୍ଥିତ ରହିବ। ବିମାନବନ୍ଦର ନିର୍ଦ୍ଦେଶକ ସୁରେଶଚନ୍ଦ୍ର ହୋତା କହିଛନ୍ତି, ବିମାନ ବନ୍ଦରରେ ରନ୍‌ଓ୍ବେ ପରି ସ୍ବତନ୍ତ୍ର ଟ୍ୟାକ୍ସିଓ୍ବେ ନିର୍ମାଣ ହେବ। ଏଥିପାଇଁ ଜାଗା ଆବଶ୍ୟକ।

Share