ବିମାନବନ୍ଦର ସମ୍ପ୍ରସାରଣ କାର୍ଯ୍ୟ ଖୁବ୍‌ଶୀଘ୍ର: ପୋତାହେବ ଓୟୁଏଟି ଫାର୍ମରେ ଥିବା ୨ ପୋଖରୀ

ଭୁବନେଶ୍ୱର, ୮।୩(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ସମ୍ପ୍ରସାରଣ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟ କିଛିଦିନ ମଧ୍ୟରେ ଆରମ୍ଭ ହେବ। ବିଶେଷକରି ବିମାନ ଉଡ଼ାଣରେ ବଡ଼ ବିପଦ ସୃଷ୍ଟି କରୁଥିବା ପକ୍ଷୀଙ୍କୁ ନେଇ ଚିନ୍ତା ବଢ଼ିଛି। ସେହିଭଳି ସମ୍ପ୍ରସାରଣରେ ବସ୍ତି ବାଧକ ସାଜୁଛି। ଏଥିପାଇଁ ଶନିବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି ରାଓ ଉପସ୍ଥିତ ରହି ବିମାନବନ୍ଦରରେ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ନେଇ ଆଲୋଚନା କରିଥିଲେ। ଓୟୁଏଟି ଫାର୍ମ ପରିସର ୪ ପୋଖରୀକୁ ପୋତିବା ସହ ପକ୍ଷୀଙ୍କ ଆଗମନକୁ ରୋକିବା ଦିଗରେ କାର୍ଯ୍ୟ କରିବା, ବିମାନବନ୍ଦର ପଛପଟେ ଅର୍ଥାତ ଜାଗମରା ଅଞ୍ଚଳକୁ ଲାଗିଥିବା ରନ୍‌ଓ୍ବେ ନିକଟରୁ ଦୋକାନ ବଜାର ହଟାଇବା, ବିମାନବନ୍ଦର ଅଞ୍ଚଳରୁ ସମ୍‌ ହସ୍ପିଟାଲ ଯାଏ ଥିବା ଏକ ନିର୍ଦ୍ଦିଷ୍ଟ ପରିଧିରୁ ମାଛ ଓ ମାଂସ ଦୋକାନ ହଟାଇବା, ବଡ଼ ବଡ଼ ବିଦ୍ୟୁତ୍‌ ଖୁଣ୍ଟକୁ ହଟାଇବା, ବିମାନବନ୍ଦର ନିକଟରେ ଥିବା ୨ ବସ୍ତି ହଟାଇବା ଓ ବିମାନବନ୍ଦର ପାର୍ଶ୍ୱ ମୁଖ୍ୟ ନାଳରେ ଘୋଡଣି ପକାଇବା ପାଇଁ ବିମାନବନ୍ଦର ନିର୍ଦ୍ଦେଶକ ରାଓ ବିଏମ୍‌ସି କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ହୋଇଥିବା ନିଷ୍ପତ୍ତି ଅନୁସାରେ, ଆସନ୍ତା ୨ରୁ ୩ମାସ ମଧ୍ୟରେ ଓୟୁଏଟି ଫାର୍ମରେ ଥିବା ୨ଟି ପୋଖରୀକୁ ପୋତାଯିବ ଓ ଅନ୍ୟ ୨ଟିକୁ ସମ୍ପୂର୍ଣ୍ଣ ଜାଲ ଘେରାଯିବ। ସେହିପରି ରନ୍‌ଓ୍ବେ ନିକଟ ଦୋକାନ ବଜାରକୁ ହଟାଇବା ପାଇଁ ବିଏମ୍‌ସି ଦକ୍ଷିଣ ପଶ୍ଚିମ ଜୋନର ଜୋନାଲ ଡେପୁଟି କମିଶନର ରବିନାରାୟଣ ଜେଠୀଙ୍କୁ କମିଶନର ପ୍ରେମଚନ୍ଦ୍ର ଚୌଧାରୀ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ବିମାନବନ୍ଦର ଦେଇ ଯାଇଥିବା ମୁଖ୍ୟ ନାଳଟି ବହୁତ ଚଉଡ଼ା ହୋଇଥିବାରୁ ତାହା ଉପରେ ଘୋଡ଼ଣି ପକାଯାଇପାରିବ ନାହିଁ। ବିଏମ୍‌ସି ଡ୍ରେନେଜ୍‌ ବିଭାଗର ଏକ ଟିମ୍‌ ସ୍ଥିତି ପରଖିବା ପରେ ତାହା ଉପରେ ଜାଲ ବିଛାଯିବ। ଅନୁରୂପ ଭାବେ ସେସୁ କର୍ତ୍ତୃପକ୍ଷ କିଛିଦିନ ମଧ୍ୟରେ ବିମାନବନ୍ଦରର ନିର୍ଦ୍ଧାରିତ ପରିଧିରେ ଥିବା ବଡ଼ ବଡ଼ ବିଦ୍ୟୁତ୍‌ ଖୁଣ୍ଟ ହଟାଇବେ। ମାଛ, ମାଂସ ବ୍ୟବସାୟୀଙ୍କୁ ଥଇଥାନ କରାଯିବା ପରେ ଉଚ୍ଛେଦ କରାଯିବ। ତେବେ ୨ ବସ୍ତିର ଉଚ୍ଛେଦ ସରିଛି, ଏବେ ବିମାନବନ୍ଦର କର୍ତ୍ତୃପକ୍ଷ ବିକାଶ କାର୍ଯ୍ୟ ଆରମ୍ଭ କରିପାରିବେ ବୋଲ ବିଏମ୍‌ସି କମିଶନର ଚୌଧାରୀ ସ୍ପଷ୍ଟ କରିଥିଲେ। ବୈଠକରେ ଆର୍‌ ଆଣ୍ଡ ବି ବିଭାଗ, ସେସୁ, ଓୟୁଏଟି ଓ ବିଏମ୍‌ସିର ଅଧିକାରୀମାନେ ଉପସ୍ଥିତ ଥିଲେ।

Share