Categories: ବାଣିଜ୍ୟ

ବିମାନରେ ଆପଲର କିଛି ଲାପ୍‌ଟପ ବ୍ୟାନ୍‌

ନୂଆଦିଲ୍ଲୀ,୨୭-୮: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ବିମାନରେ ଆପଲ୍‌ ମ୍ୟାକ୍‌ବୁକ୍‌ ପ୍ରୋର ଲାପ୍‌ଟପ୍‌ର କିଛି ମଡେଲ ନେବା ଉପରେ କଟକଣା ଜାରି କରିଛି। ଏହି ଲାପ୍‌ଟପ୍‌ର ବ୍ୟାଟେରୀ ଅଧିକ ଗରମ ହୋଇ ନିଆଁ ଲାଗି ଯାଉଥିବାରୁ ସମ୍ଭାବ୍ୟ ବିପଦକୁ ଦେଖି ଏହି କଟକଣା ଜାରି କରାଯାଇଛି। ଏଣିକି ଚେକ୍‌ ଇନ୍‌ ଓ କ୍ୟାବିନ ବ୍ୟାଗ୍‌ରେ ଏହି ମଡେଲ ଲାପ୍‌ଟପ୍‌ ନେଇହେବ ନାହିଁ। ଉତ୍ପାଦକଙ୍କ ପକ୍ଷରୁ ବ୍ୟାଟେରୀ ସୁରକ୍ଷିତ ବୋଲି ଘୋଷଣା ନ ହେବା ପର୍ଯ୍ୟନ୍ତ ଏଭଳି ମଡେଲ ଲାପ୍‌ଟପ୍‌ ବିମାନରେ ପ୍ରବେଶ ନ କରାଇବାକୁ ଡିଜିସିଏ ପକ୍ଷରୁ ସମସ୍ତ ଏୟାରପୋର୍ଟକୁ ନିର୍ଦ୍ଦେଶ ଦିଆଯାଇଛି। ଡିଜିସିଏ ପକ୍ଷରୁ କୁହାଯାଇଛି ଯେ, ଆପଲ୍‌ କମ୍ପାନୀ ସୀମିତ ସଂଖ୍ୟାରେ ପୁରୁଣା ଜେନେରେଶନର ୧୫ ଇଞ୍ଚର ମ୍ୟାକ୍‌ବୁକ ପ୍ରୋ ଲାପ୍‌ଟପ୍‌ ଫେରାଇ ନେଉଛି। ୨୦୧୫ ସେପ୍ଟେମ୍ବରରୁ ୨୦୧୭ ଫେବୃୟାରୀ ମଧ୍ୟରେ ଏହି ମଡେଲର ସୀମିତ ସଂଖ୍ୟକ ଲାପ୍‌ଟପ୍‌ ବିକ୍ରି ହୋଇଥିଲା। ଏହି ମଡେଲର ଲାପ୍‌ଟପ୍‌ରେ ସଂଯୋଗ ହୋଇଥିବା ବ୍ୟାଟେରୀ ଶୀଘ୍ର ଗରମ ହୋଇଯାଉଥିବା କମ୍ପାନୀ ସନ୍ଦେହ କରୁଛି। ଏହା ବିପଦ ଡାକିଆଣିପାରେ ବୋଲି ମନେ କରି କମ୍ପାନୀ ଉକ୍ତ ପଦକ୍ଷେପ ଗ୍ରହଣ କରିଛି ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି।

Share