ବିମାନରେ ଜିନିଷ ରଖିବା ସ୍ଥାନରେ ଏୟାର ହୋଷ୍ଟେସ୍‌ଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯାତ୍ରୀ

ନାଶଭିଲେ: ବିମାନରେ ଜିନିଷ ରଖୁଥିବା ସ୍ଥାନରେ ଯଦି ଆପଣ ମଣିଷ ଶୋଇଥିବା ଦେଖିବେ ତାହାଲେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ। ଠିକ୍‌ ସେହିଭଳି ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ ପଶ୍ଚିମ ଏୟାରଲାଇନ୍ସରେ ଥିବା ଯାତ୍ରୀଙ୍କ ମଧ୍ୟରେ। ଆମେରିକା ନାଶଭିଲେରୁ ଫିଲାଡେଲଫିଆକୁ ବିମାନ ଉଡାଣ ପାଇଁ ପ୍ରସ୍ତୁତ  ହେଉଥିଲା। ସେହି ସମୟରେ ବିମାନର ଉପର କମ୍ପାର୍ଟମେଣ୍ଟରେ ଜଣେ ବ୍ୟକ୍ତି ଜିନିଷ ରଖିବାକୁ ଯାଉଥିବା ବେଳେ ସେଠାରେ ଜଣେ ଏୟାରହୋଷ୍ଟେସ୍‌ ଶୋଇଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ଦେଖି ଯାତ୍ରୀମାନେ ଆଶ୍ଚର୍ଯ୍ୟ ହେବା ସହ ବିମାନରେ ୧୦ ମିନିଟ୍‌ ପର୍ଯ୍ୟନ୍ତ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଯାତ୍ରୀ ଜଣଙ୍କ ସେହି ମୁହୂର୍ତ୍ତକୁ ନିଜ କ୍ୟାମେରାରେ ରେକର୍ଡ କରିବା ପରେ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଶେୟାର ହେବାର କିଛି ସମୟ ମଧ୍ୟରେ ହିଁ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଅପରପକ୍ଷରେ ଏନେଇ ଦକ୍ଷିଣ ଏୟାରଲାଇନ୍ସ କର୍ତ୍ତୃପକ୍ଷ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯାତ୍ରୀଙ୍କୁ ହସାଇବାକୁ ଯାଇ ଆମର କର୍ମଚାରୀ କିଛି ଏଭଳି ପ୍ରଚେଷ୍ଟା କରିଥାନ୍ତି। ଆଉ ଏହା ମଧ୍ୟ ତାହାର ଏକ ଅଂଶ ବୋଲି ସେ କହିଛନ୍ତି।

Share