Categories: ମେଟ୍ରୋ

ବିମାନ କ୍ରିଉ ମେମ୍ବରଙ୍କ ପାଇଁ ଭୁବନେଶ୍ୱରରେ ହୋଟେଲ ଖୋଲିବାକୁ ଅନୁମତି

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଏୟାରଲାଇନ୍ସ କ୍ରିଉ ମେମ୍ବରଙ୍କ ରହଣି ପାଇଁ ରାଜଧାନୀରେ ଖୋଲିପାରିବ ହୋଟେଲ। ଏନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅନୁମତି ଦେଇଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ କେହି ହୋଟେଲ୍‌ରେ ରହିପାରିବେ ନାହିଁ ବୋଲି ସେ କହିଛନ୍ତି। ଗତ ୨୫ ତାରିଖରୁ ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଚଳାଚଳ ଆରମ୍ଭ ହୋଇଛି। ଫଳରେ ପ୍ରତିଦିନ ଏୟାରଲାଇନ୍ସ କ୍ର୍ୟୁ ମେମ୍ବରମାନେ ଭୁବନେଶ୍ୱର ଆସୁଛନ୍ତି। ମାତ୍ର କଟକଣା ଯୋଗୁ ହୋଟେଲଗୁଡ଼ିକ ବନ୍ଦ ରହିଥିବାରୁ ସେମାନଙ୍କ ରହଣି ପାଇଁ ସମସ୍ୟା ଉପୁଜୁଛି। ଏ ସମ୍ପର୍କରେ ବିଏମ୍‌ସିକୁ ହୋଟେଲ୍‌ ଖୋଲିବା ପାଇଁ ଅନୁମତି ମଗାଯାଇଥିଲା। ଏହାପରେ ବିଏମ୍‌ସି ପକ୍ଷରୁ କେବଳ କ୍ରୁ ମେମ୍ବରଙ୍କ ପାଇଁ ହୋଟେଲ ଖୋଲିବାକୁ ମାଲିକମାନଙ୍କୁ କୁହାଯାଇଛି। ହୋଟେଲ୍‌ରେ କୋଭିଡ୍‌-୧୯ ପାଇଁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ସମସ୍ତେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରିବେ। ସେହିପରି ଯେଉଁମାନଙ୍କର ଥଣ୍ଡା କାଶତ୍‌ଜନିତ ଲକ୍ଷଣ ଥିବା ସେମାନେ ହୋଟେଲକୁ ନ ଆସିବା ପାଇଁ ଗାଇଡ୍‌ଲାଇନ୍‌ରେ ଦର୍ଶାଯାଇଛି।

Share