Categories: ବାଣିଜ୍ୟ

ବିମାନ ଯାତ୍ରା ଭଡ଼ା ଉପରେ ନଜର ରଖିବ ଡିଜିଟିଏ

ନୂଆଦିଲ୍ଲୀ,୧୭-୪: ଜେଟ୍‌ ଏୟାରଓ୍ବେଜରେ ସଙ୍କଟ ଦେଖାଦେବା ପରେ ବିମାନ କ୍ଷେତ୍ରରେ ଟିକେଟ ମୂଲ୍ୟ ଆକାଶଛୁଆଁ ହେଲାଣି। ଏହାଦ୍ୱାରା ଯାତ୍ରୀମାନେ ସିଧାସଳଖ ପ୍ରଭାବିତ ହେବା ସହିତ ସରକାରଙ୍କ ରାଜସ୍ବ କମିବାରେ ଲାଗିଛି। ଏଣୁ ଦୈନିକ ଭିତ୍ତିରେ ବିମାନ ଭଡା ଉପରେ ନଜର ରଖିବାକୁ ବେସାମରିକ ବିମାନ ଚଳାଚଳ ନିୟାମକ ଡିଜିସିଏ ନିଷ୍ପତ୍ତି ନେଇଛି। ଏନେଇ ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ପ୍ରକାଶ କରିଛନ୍ତି। ବିମାନ ଟିକେଟ ମୂଲ୍ୟ ବୃଦ୍ଧି ପାଇବା ନେଇ ମଙ୍ଗଳବାର ଡିଜିସିଏ ପକ୍ଷରୁ ୧୦ ବିମାନ କମ୍ପାନୀର ମୁଖ୍ୟମାନଙ୍କ ସହ ବୈଠକ ହୋଇଥିଲା। ସୂଚନାଥାଉ କି, ଜେଟ୍‌ ଏୟାରଓ୍ବେଜରେ ଦେଖାଦେଇଥିବା ସଙ୍କଟ କାରଣରୁ ଏହାର ବିମାନ ଉଡ଼ାଣ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଫଳରେ ବିଭିନ୍ନ ରୁଟ୍‌ରେ ବିମାନ ଟିକେଟ ମୂଲ୍ୟ ଅହେତୁକ ବୃଦ୍ଧି ପାଇବାରେ ଲାଗିଛି। କମ୍ପାନୀଗୁଡ଼ିକୁ ନିଜ ସ୍ତରରେ ବିମାନ ଟିକେଟ ମୂଲ୍ୟ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଥିବାବେଳେ ଯଥାସମ୍ଭବ ଟିକେଟ ମୂଲ୍ୟ କମ ରଖିବାକୁ କୁହାଯାଇଛି ବୋଲି ଅଧିକାରୀ ପ୍ରକାଶ କରିଛନ୍ତି।

Share