Categories: ବାଣିଜ୍ୟ

ବିମାନ ଯାତ୍ରା ହେବ ମହଙ୍ଗା; ଆଦାୟ ହେବ ଏଭିଏଶନ ସିକ୍ୟୁରିଟି ଫି

ନୂଆଦିଲ୍ଲୀ,୯-୬: ବିମାନ ଯାତ୍ରା ପୁନର୍ବାର ମହଙ୍ଗା ହେବାକୁ ଯାଉଛି। କେନ୍ଦ୍ର ସରକାର ଏଭିଏଶନ ସିକ୍ୟୁରିଟି ଫି(ଏଏସ୍‌ଏଫ୍‌) ଆଦାୟ କରିବାକୁ ଅନୁମତି ଦେଇଛନ୍ତି। ଏବେ ବିମାନ ଯାତ୍ରୀଙ୍କୁ ପାସେଞ୍ଜର ସର୍ଭିସ ଫି ସ୍ଥାନରେ ଏଏସ୍‌ଏଫ୍‌ ଦେବାକୁ ହେବ। ଜୁଲାଇ ପହିଲାରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦି ଏୟାରକ୍ରାଫ୍ଟ ରୁଲ୍ସ, ୧୯୩୭ର ଧାରା ୮୮ଏ ଅନୁଯାୟୀ ଏଭିଏଶନ ସିକ୍ୟୁରିଟି ଫି ବୃଦ୍ଧି କରାଯିବ। ଏହି ନୂଆ ନିୟମ ଲାଗୁ ହେବା ପରେ ଘରୋଇ ଯାତ୍ରୀଙ୍କ ଠାରୁ ଉକ୍ତ ଫି ବାବଦରେ ୧୫୦ ଟଙ୍କା ଅସୁଲ କରାଯିବ। ସେହିପରି ଅନ୍ତରାଷ୍ଟ୍ରୀୟ ଯାତ୍ରା ଲାଗି ୪.୮୫ ଆମେରିକୀୟ ଡଲାର ଅର୍ଥାତ ୩୩୬ ଟଙ୍କା ଆଦାୟ ହେବ। ଏହି ଅର୍ଥକୁ ବିମାନବନ୍ଦରରେ ସିକ୍ୟୁରିଟି ଡ୍ୟୁ କ୍ଲିୟର କରିବାରେ ବ୍ୟବହାର କରାଯିବ। ବର୍ତ୍ତମାନ ଘରୋଇ ବିମାନ ଯାତ୍ରୀଙ୍କ ଠାରୁ ପିଏସ୍‌ଏଫ୍‌ ବାବଦରେ ୧୩୦ ଟଙ୍କା ନିଆଯାଉଛି। ବିଦେଶ ଯାତ୍ରା ପାଇଁ ଏହା ୩.୨୫ ଡଲାର ଅର୍ଥାତ୍‌ ୨୨୫ ଟଙ୍କା ରହିଛି।

Share