ବିମାନ, ରେଳ ଟିକେଟ ବୁକିଂ ଆରମ୍ଭ

ଭୁବନେଶ୍ୱର,୨୩ା୫ (ବ୍ୟୁରୋ): ବିମାନରେ ଘରୋଇ ଉଡ଼ାଣ ସହ ରେଳରେ ଯାତାୟତ କରିବା ପାଇଁ ଟିକେଟ ବୁକିଂ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ପୂର୍ବାହ୍ନ ୮ଟାରୁ ପୂର୍ବତଟ ରେଳପଥ ପକ୍ଷରୁ ଟିକେଟ୍‌ ବୁକିଂ ଆରମ୍ଭ କରାଯାଇଥିବାବେଳେ ମଧ୍ୟାହ୍ନ ୧୨ଟା ୩୦ରୁ ଏୟାର ଇଣ୍ଡିଆ ପକ୍ଷରୁ ଟିକେଟ ବୁକିଂ ଆରମ୍ଭ ହୋଇଛି। ଏନେଇ ଏୟାର ଇଣ୍ଡିଆ ଓ ପୂର୍ବତଟ ରେଳ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଆସନ୍ତା ୨୫ତାରିଖରୁ ଏୟାର ଇଣ୍ଡିଆ ଦ୍ୱାରା ଦେଶରେ ଘରୋଇ ବିମାନ ଉଡ଼ାଣ ଆରମ୍ଭ ହେବ। ବିମାନରେ ଯାତ୍ରା କରିବାକୁ ଚାହୁଁଥିବା ଲୋକମାନେ airindia.inରେ ଲଗ୍‌ଇନ୍‌ କରି ଟିକେଟ୍‌ ବୁକ୍‌ କରିବା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଯଦି କେହି ଅନ୍‌ଲାଇନ୍‌ରେ ଲଗ୍‌ ଇନ୍‌ କରି ଟିକେଟ ବୁକ୍‌ କରିପାରୁନାହାନ୍ତି, ତେବେ ସେ କୌଣସି ଟ୍ରାଭେଲ୍‌ ଏଜେଣ୍ଟଙ୍କ ଦ୍ୱାରା ଟିକେଟ ବୁକ୍‌ କରିପାରିବେ ଓ ଗ୍ରାହକ ସେବା କେନ୍ଦ୍ରକୁ ଫୋନ୍‌ କରି ଟିକେଟ୍‌ ବୁକ୍‌ କରିପାରିବେ ବୋଲି କୁହାଯାଇଛି।
ସେହିପରି ଜୁନ୍‌ ୧ତାରିଖରୁ ସାରା ଦେଶରେ ଟ୍ରେନ୍‌ ଚଳାଚଳ ଆରମ୍ଭ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯାହା ପାଇଁ ଟିକେଟ୍‌ ବୁକିଂ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଶୁକ୍ରବାର ଓଡ଼ିଶାରେ ମୋଟ୍‌ ୮୭ଟି ସ୍ଥାନରେ କମ୍ପ୍ୟୁଟରାଇଜ୍‌ଡ୍‌ ରିଜର୍ଭେଶନ କାଉଣ୍ଟରରେ ଟିକେଟ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପୂର୍ବତଟ ରେଳପଥ ଅଧୀନରେ ଥିବା ଛତିଶଗଡ଼ ଡିଭିଜନ୍‌ରେ ୭ ସ୍ଥାନରେ ଓ ଆନ୍ଧ୍ରପ୍ରଦେଶର ୨୩ ସ୍ଥାନରେ ବୁକିଂ କାଉଣ୍ଟରଗୁଡ଼ିକରେ ସାମାଜିକ ଦୂରତ୍ୱକୁ ବଜାୟ ରଖି ଜନସାଧାରଣ ଟିକେଟ ବୁକିଂ କରିଛନ୍ତି। ଭୁବନେଶ୍ୱର ରେଳ ଷ୍ଟେଶନରେ ୩ଟି ବୁକିଂ କାଉଣ୍ଟରରେ ଟିକେଟ ବୁକ୍‌ ହୋଇଥିବା କଥା ନଜରକୁ ଆସିଛି। ଶୁକ୍ରବାର ରାତି ୭ଟା ସୁଦ୍ଧା ଖୋର୍ଦ୍ଧାରୋଡ ଡିଭିଜନ ଅନ୍ତର୍ଗତ ବିଭିନ୍ନ କାଉଣ୍ଟରରେ ୩୪୨ଟିକେଟ ବୁକିଂ ହୋଇଥିବା ପୂର୍ବତଟ ରେଳ ପକ୍ଷରୁ ସୂଚନା ମିଳିଛି। ଜୁନ୍‌ ୧ ତାରିଖରୁ ସାରା ଦେଶରେ ମୋଟ୍‌ ୧୦୦ ଯୋଡ଼ା ଟ୍ରେନ୍‌ ଚଲାଇବା ପାଇଁ ରେଳ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏଥିସହିତ ଚାଲୁଥିବା ୧୫ଯୋଡ଼ା ସ୍ବତନ୍ତ୍ର ଟେନ୍‌ ପାଇଁ ଟିକେଟ ବୁକିଂ ପଦ୍ଧତିରେ ସଂଶୋଧନ କରାଯାଇଛି। ଆଗୁଆ ସଂରକ୍ଷଣ ଅବଧି ୭ ରୁ ୩୦ଦିନକୁ ବୃଦ୍ଧି କରାଯାଇଛି। ଏହି ପରିବର୍ତ୍ତନ ୨୪ମେ ଠାରୁ ହେବାକୁ ଥିବା ବୁକିଂ ଏବଂ ୩୧ମେ ଠାରୁ ଚାଲିବାକୁ ଥିବା ସ୍ବତନ୍ତ୍ର ଟ୍ରେନ୍‌ ପାଇଁ ଲାଗୁହେବ।

Share