Categories: ଜାତୀୟ

ବିମୁଦ୍ରୀକରଣ ପରଠାରୁ ବିଗିଡିଛି ଦେଶର ଅର୍ଥବ୍ୟବସ୍ଥା: ରାହୁଲ

ନୂଆଦିଲ୍ଲୀ,୧।୯: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜିଡିପି ବିକାଶ ଦରରେ ହୋଇଥିବା ପତନକୁ ଦେଖି ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି ବିମୁଦ୍ରୀକରଣ ପରଠାରୁ ଦେଶର ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଛି। ଆଉ ଏହାପରେ ସରକାର ଗୋଟିଏ ପରେ ଗୋଟିଏ ଭୁଲ୍‌ ନୀତି ଆପଣାଇ ଚାଲିଛନ୍ତି। ରାହୁଲ ଟୁଇଟ୍‌ କରି ଏଭଳି ଅଭିଯୋଗ ଆଣିଛନ୍ତି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାବି କହିଛନ୍ତି ଦେଶର ଅର୍ଥ ବ୍ୟବସ୍ଥା ଏବେ ବୁଡି ଯାଇଛି। ସେ ଟୁଇଟ୍‌ କରି ଲେଖିଛନ୍ତି ଆଜକୁ ଠିକ୍‌ ୬ ମାସ ପୂର୍ବେ ରାହୁଲ ଗାନ୍ଧୀ ଆର୍ଥିକ ସୁନାମୀ କଥା କହିଥିଲେ। ଆଉ କରୋନା ସଙ୍କଟ ସମୟରେ ହାତୀର ଦାନ୍ତ ଭଳି ଏକ ଆର୍ଥିକ ପ୍ୟାକେଜର ଘୋଷଣା କରାଯାଇଥିଲା। ହେଲେ ଏବେ ସ୍ଥିତି ଦେଖନ୍ତୁ ଜିଡିପି ମାଇନସ୍‌ ୨୩.୯ ପ୍ରତିଶତ ଖସି ଯାଇଛି। ତେଣୁ ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ଏକ ପ୍ରକାର ବୁଡାଇ ଦେଇଛନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜଓ୍ବୋଲା ବି କହିଛନ୍ତି ମୋଦି ଜୀ ଏବେ ତ ଆପଣ ମାନି ନିଅନ୍ତୁ। ଯାହାକୁ ଆପଣ ‘ମାଷ୍ଟର ଷ୍ଟ୍ରୋକ୍‌’ କହୁଥିଲେ ବାସ୍ତବରେ ତାହା ‘ଡିଜାଷ୍ଟର ଷ୍ଟ୍ରୋକ୍‌’ ଥିଲା। ବିମୁଦ୍ରିକରଣ, ଜିଏସ୍‌ ଟି, ଲକ୍‌ଡାଉନ ଏସବୁ ଭୁଲ୍‌ ଥିଲା।

Share