Categories: ଖେଳ

ବିରାଟ କୋହଲିଙ୍କ ଗୋଟିଏ ଟୁଇଟ୍‌, ଧୋନୀଙ୍କ ଅବସରକୁ ନେଇ ପୁଣି ଉଠିଲା ଚର୍ଚ୍ଚା

ନୂଆଦିଲ୍ଲୀ,୧୨।୯:ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତ ପାଇଁ ସୀମିତ ଓଭର କ୍ରିକେଟ ଖେଳିବେ କି ଅବସର ନେବେ? ୨୦୧୯ ବିଶ୍ୱକପରେ ଭାରତର ଅଭିଯାନ ଶେଷ ପରଠୁ ସମସ୍ତ କ୍ରିକେଟ ପ୍ରେମୀଙ୍କ ମୁହଁରେ ଏହି ପ୍ରଶ୍ନ ସର୍ବଦା ଉଙ୍କି ମାରୁଛି। ଏହାର ଉତ୍ତର କ’ଣ କାହାରିକୁ ମଧ୍ୟ ଜଣାନାହିଁ। କାରଣ ଏହି ପ୍ରଶ୍ନର ଉତ୍ତର କେବଳ ଧୋନୀ ହିଁ ଦେଇ ପାରିବେ। କିନ୍ତୁ ଗୁରୁବାା ଭାରତୀୟ ଅଧିନାୟକ ବିରାଟ କୋହଲି ଧୋନୀଙ୍କୁ ନେଇ ଏକ ଟୁଇଟ୍‌ କରିଛନ୍ତି। ଯାହାକୁ ଦେଖି ସୋସିଆଲ ମିଡିଆରେ ଧୋନୀଙ୍କ ଅବସରକୁ ନେଇ ପୁଣି ଚର୍ଚ୍ଚା ଉଠିଛି। ଗୁରୁବାର କୋହଲି ଏକ ମ୍ୟାଚ୍‌ର ଫଟୋ ଟୁଇଟ୍‌ କରି ଲେଖିଛନ୍ତି,ଏହି ସ୍ବତନ୍ତ୍ର ଦିନକୁ ମୁଁ କେବେ ଭୁଲି ପାରିବି ନାହିଁ। ଧୋନୀ ମୋତେ ଫିଟନେସ୍‌ ଟେଷ୍ଟ ପରି ଏହି ମ୍ୟାଚରେ ଦୌଡାଇଥିଲେ। ସୂଚନାଯୋଗ୍ୟ, କୋହଲି ଟୁଇଟ୍‌ କରିଥିବା ମ୍ୟାଚ୍‌ଟି ୨୦୧୬ ମାର୍ଚ୍ଚ ୨୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ମୋହାଲିର ପିସିଏ ଷ୍ଟାଡିୟମରେ ଖେଳାଯାଇଥିଲା। ଅଷ୍ଟେଲିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୬୦ ରନ୍‌ କରିଥିଲା। ଏହାର ଜବାବରେ ଭାରତ ୧୯.୧ ଓଭରରେ ୪ ଉଇକେଟ ହରାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିଥିଲା। କୋହଲି ୫୧ଟି ବଲରୁ ୯ଟି ଚୌକା ଏବଂ ଦୁଇଟି ଛକା ସହ ୮୨ରନ୍‌ରେ ଅପରାଜିତ ଥିଲେ।

Share