Categories: ଜାତୀୟ

ବିରୋଧୀଙ୍କୁ ମୁକାବିଲା କର

ନୂଆଦିଲ୍ଲୀ,୧ା୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ତାଙ୍କ ସରକାର ରକ୍ଷାତ୍ମକ ଅନୁଭବ କରିବାର କୌଣସି କାରଣ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ୍‌ଡିଏ ବୈଠକରେ କହିଛନ୍ତି। ପାର୍ଲାମେଣ୍ଟରେ ସିଏଏକୁ ଦୃଢ଼ ସମର୍ଥନ କରିବା ଲାଗି ସେ ଏନ୍‌ଡିଏ ନେତାମାନଙ୍କୁ ଅନୁରୋଧ କରିଛନ୍ତି। ବଜେଟ ଅଧିବେଶନରେ ଏନ୍‌ଡିଏର ରଣକୌଶଳ କ’ଣ ରହିବ ତାହା ଉପରେ ଆଲୋଚନା ପାଇଁ ଭାଜପା ଓ ସହଯୋଗୀ ଦଳର ନେତାମାନଙ୍କ ବୈଠକ ଡକାଯାଇଥିଲା। ସିଏଏରେ ମୁସଲମାନଙ୍କ ପ୍ରତି ପକ୍ଷପାତ କରାଯାଇଥିବା ବିରୋଧୀ ଅଭିଯୋଗ କରୁଛି। ସରକାର ନାଗରିକତ୍ୱ ଆଇନରେ ସଂଶୋଧନ ଆଣି କିଛି ଭୁଲ୍‌ କରିନାହାନ୍ତି। ତେଣୁ ବିରୋଧୀଙ୍କୁ ଆକ୍ରମଣାତ୍ମକ ଢଙ୍ଗରେ ସମ୍ମୁଖୀନ ହେବା ଲାଗି ଏନ୍‌ଡିଏ ନେତାମାନଙ୍କୁ କୁହାଯାଇଛି। ସେହିପରି ବୋଡୋ ଚୁକ୍ତିନାମା ଏବଂ ତ୍ରିପୁରାରେ ବ୍ରୁ ସମ୍ପ୍ରଦାୟର ଥଇଥାନ ପାଇଁ ସରକାର ନେଇଥିବା ପଦକ୍ଷେପକୁ ଏନ୍‌ଡିଏ ନେତାମାନେ ପ୍ରଶଂସା କରିଥିଲେ।

Share