Categories: ଜାତୀୟ

ବିରୋଧୀ ଦଳଙ୍କୁ ନେଇ ସାଥିରେ ଚାଲିବାକୁ ମୋଦି ସରକାରଙ୍କୁ ପରାମର୍ଶ ଦେଲେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ,୧୭।୧୨: ବିରୋଧୀ ଦଳଙ୍କୁ ନେଇ ସାଥିରେ ଚାଲିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପରାମର୍ଶ ଦେଇଛନ୍ତି। ଏହା ସହିତ ବହୁସଂଖ୍ୟକବାଦଠାରୁ ଦଳକୁ ଦୂରେଇ ରଖିବାକୁ ସେ କହିଛନ୍ତି। ଜନତାଙ୍କ ଦ୍ୱାରା ବହୁମତରେ କ୍ଷମତାକୁ ଆସିବା ପରେ ମୋଦି ସରକାର ସାଧାରଣ ଲୋକଙ୍କ ଆବଶ୍ୟକତା ଅନୁସାରେ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି। ଇଣ୍ଡିଆ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ମେମୋରିଆଲ ଆଳୋଚନା ଚକ୍ରରେ ଯୋଗଦେଇ ପ୍ରଣବ ଏଭଳି କହିଛନ୍ତି। ସଂସଦରରେ ବହୁମତ ଥିବାବେଳେ ରାଜନୈତିକ ଦଳ ସବୁକିଛି କରିପାରିବା କ୍ଷମତା ଥିବା ମନେ କରିଥାନ୍ତି। ତେବେ ଏପରି କରିବା ଦ୍ୱାରା ସେମାନେ ଭୁଲ ହିଁ କରିବସିଥାନ୍ତି ବୋଲି ପ୍ରଣବ କହିଛନ୍ତି। ଦେଶର ରାଜନୈତିକ ଇତିହାସରେ ଏଭଳି ନେତାଙ୍କୁ ବହୁଥର ଫଳ ଭୋଗୀବାକୁ ପଡ଼ିଛି। ଲୋକସଭାର ସାମ୍ପ୍ରତିକ ଆସନ ସଂଖ୍ୟା ୧୯୭୧ ଜନଗଣନା ଅନୁସାରେ ଆଧାରିତ। ସେତେବେଳେ ଜନସଂଖ୍ୟା ୫୫ କୋଟି ଥିଲା। ଏବେ ଏହା ୧୩୦କୋଟିରୁ ଅଧିକରେ ପହଞ୍ଚିଛି। ତେଣୁ ଲୋକସଭା ଆସନ ସଂଖ୍ୟା ଏକ ହଜାରକୁ ବୃଦ୍ଧି କରିବା ଲାଗି ପ୍ରଣବ ପରାମର୍ଶ ଦେଇଛନ୍ତି। ଶେଷଥର ପାଇଁ ଲୋକସଭା ଆସନ ସଂଖ୍ୟା ୧୯୭୭ରେ ବଢ଼ାଯାଇଥିଲା। ଏବେ ଗୋଟିଏ ଲୋକସଭା ଆସନ ପିଛା ହାରାହାରି ୧୬ରୁ ୧୮ ଲକ୍ଷ ଲୋକ ରହୁଛନ୍ତି। ଫଳରେ ସମସ୍ତଙ୍କର ସମସ୍ୟା ସମାଧାନ କରିବା ଜଣେ ଏମ୍‌ପିଙ୍କ ଲାଗି ସହଜ ହେଉ ନ ଥିବା ପ୍ରଣବ କହିଛନ୍ତି।

Share