ବିରୋଧୀ ଦଳ ନେତାଙ୍କୁ ଉପେକ୍ଷା କରୁଛି ବିଏମ୍‌ସି

ବ୍ରହ୍ମପୁର ଅଫିସ,୩ା୯-ବ୍ରହ୍ମପୁର ମହାନଗର ନିଗମ ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ରାଜନୀତି କରାଯାଇଛି। ନିଗମ କାର୍ଯ୍ୟାଳୟ ଏବଂ ଟାଉନ ହଲରେ ଆୟୋଜିତ ସମାରୋହରେ କେବଳ ଶାସକ ବିଜେଡି ନେତାଙ୍କୁ ଡ଼କାଯାଇ ବିରୋଧୀ ଦଳକୁ ଉପେକ୍ଷା କରାଯାଇଛି। ସୋମବାର ଜିଲା କଂଗ୍ରେସ ଓ ଭାଜପା ପକ୍ଷରୁ ସ୍ବାୟତ୍ତ ଶାସନ ଅନୁଷ୍ଠାନ ପରିଚାଳନା କରୁଥିବା ଅମଲାତନ୍ତ୍ରର ବାଛବିଚାର ନୀତିକୁ ସମାଲୋଚନା କରାଯିବା ସହ ବିଏମ୍‌ସି ମହାନଗରବାସୀଙ୍କ ହୋଇଥିବା ଏବଂ ଶାସକ ଦଳର ପୈତୃକ ସମ୍ପତ୍ତି ନୁହେଁ ବୋଲି ଚେତାଇ ଦିଆଯାଇଛି। ନିଗମ କର୍ତ୍ତୃପକ୍ଷ ଏଣିକି ନିରପେକ୍ଷ ଭାବେ କାର୍ଯ୍ୟ ନ କଲେ ପରିଣାମ ଭୋଗିବାର ଜିଲା କଂଗ୍ରେସ ଚେତାବନୀ ଦେଇଛି । ସେହିପରି ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ପକ୍ଷରୁ ଶାସକ ଦଳକୁ ସୁହାଇଲା ଭଳି ବୁରୋକ୍ରାଟ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି ।
ଭାଜପା ସଭାପତି କାହ୍ନୁ ଚରଣ ପତି ଓ ଜିଲା କଂଗ୍ରେସ ସଭାପତି ଡ଼ା. ତ୍ରିନାଥ ବେହେରା ଓ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ପୃଥକ ଭାବେ କହିଛନ୍ତି, ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ମହାନଗରର କେତେକ ଉନ୍ନୟନ କାର୍ଯ୍ୟକ୍ରମର ଉଦ୍‌ଘାଟନ ଓ ଶିଳାନ୍ୟାସ ହୋଇଥିଲା। ନଗର ଉନ୍ନୟନ ମନ୍ତ୍ରୀ, ବ୍ରହ୍ମପୁର ଏମ୍‌ପି, ବିଧାୟକ ଓ ପୂର୍ବତନ ବିଧାୟକ ଯୋଗ ଦେଇଥିଲେ। ତେବେ ବିରୋଧୀ ଦଳର ଜଣେ ବି ନେତା ଏବଂ ଶିକ୍ଷାବିତ ଓ ବୁଦ୍ଧିଜୀବୀଙ୍କୁ ଡ଼କାଯାଇ ନ ଥିଲା । ଏହା ଅସୌଜନ୍ୟ ହୋଇଥିବା କଟାକ୍ଷ କରାଯାଇଛି । କଂଗ୍ରେସ ଓ ଭାଜପା ନେତା ଆହୁରି କହିଛନ୍ତି, ନିଗମର ନିର୍ବାଚିତ ପରିଷଦ କାର୍ଯ୍ୟକାଳ ସରିବାର ବର୍ଷେ ବିତିବାକୁ ଯାଉଛି। ନାନା ଆଶଙ୍କାରେ ସରକାର ପୌର ନିର୍ବାଚନ ପାଇଁ ଭୟ କରି ବିଳମ୍ବ କରୁଛନ୍ତି । ଗଣତନ୍ତ୍ରକୁ ସମ୍ମାନ ଦେଇ ତୁରନ୍ତ ପୌର ନିର୍ବାଚନ କରିବାକୁ ଦୁଇ ବିରୋଧୀ ଦଳ ନେତା ଦାବି କରିଛନ୍ତି। ଆଗାମୀ କାର୍ଯ୍ୟକ୍ରମ ବେଳେ ବିରୋଧୀ ଦଳକୁ ଉପେକ୍ଷା କରାଗଲେ ବିଏମ୍‌ସିକୁ ଘେରାଉ କରାଯିବାର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

Share