Categories: ଜାତୀୟ

ବିରୋଧୀ ଦଳ ନେତାଙ୍କ ସହ: ଆଜି ଶ୍ରୀନଗର ଯିବେ ରାହୁଲ

ନୂଆଦିଲ୍ଲୀ,୨୪।୮(ପି.ଟି.): ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ଶନିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରୀନଗର ଗସ୍ତ କରିବେ। ଉପତ୍ୟକାବାସୀଙ୍କୁ ଭେଟିବା ଲାଗି ତାଙ୍କ ସହ ବିଭିନ୍ନ ବିରୋଧୀ ଦଳର ନେତା ସେଠାକୁ ଯିବାର ଯୋଜନା ରହିଛି। ୩୭୦ ଧାରା ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା, ବିଭିନ୍ନ ନେତାଙ୍କୁ ଗୃହବନ୍ଦୀ କରାଯିବା ଓ କଟକଣା ଲଗାଯିବାକୁ ବିରୋଧୀମାନେ ସମାଲୋଚନା କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସରୁ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ସିପିଆଇଏମ୍‌ରୁ ସୀତାରାମ ୟେଚୁରୀ, ସିପିଆଇରୁ ଡି. ରାଜା, ଡିଏମ୍‌କେରୁ ତିରୁଚି ଶିବା, ଆର୍‌ଜେଡିରୁ ମନୋଜ ଝା, ଏନ୍‌ସିପିରୁ ଦୀନେଶ ତ୍ରିବେଦୀ ଶ୍ରୀନଗର ଗସ୍ତ କରିବେ। ବରିଷ୍ଠ କଂଗ୍ରେସ ନେତାମାନେ ଶୁକ୍ରବାର ସନ୍ଧ୍ୟାରେ ଗସ୍ତ ନେଇ ଆଲୋଚନା କରିଥିବା ଜଣାପଡ଼ିଛି। ସରକାର ଅଶାନ୍ତି ବୃଦ୍ଧି ଆଶଙ୍କାରେ ସେଠାକୁ କୌଣସି ରାଜନେତାଙ୍କୁ ଛାଡ଼ୁ ନ ଥିବାବେଳେ ବିରୋଧୀ ନେତାଙ୍କ ଏଭଳି ପ୍ରୟାସ କେତେକ ସଫଳ ହେବ ତାହା ଶନିବାର ଜଣାପଡିବ।

Share