ବିରୋଧୀ ଦଳ ନେତା ଚୟନ ପ୍ରସଙ୍ଗ; ଜୟନାରାୟଣ କ୍ଷୋଭ ପ୍ରକାଶ କରିବା ଉଚିତ ନୁହେଁ: ପ୍ରଦୀପ୍ତ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ରାଜ୍ୟ ରାଜନୀତିରେ ପୂର୍ବାପେକ୍ଷା ଶକ୍ତି ବୃଦ୍ଧି କରି ମୁଖ୍ୟ ବିରୋଧୀ ଦଳ ମାନ୍ୟତା ହାସଲ କରିବାରେ ସଫଳ ହୋଇଛି ଭାଜପା। ଏବେ କିନ୍ତୁ ଦଳରେ ଦାୟିତ୍ୱ ବଣ୍ଟନକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ। ବିରୋଧୀ ଦଳ ଆସନକୁ ନେଇ ଦଳର ଦୁଇ ବରିଷ୍ଠ ନେତା ଜୟନାରାୟଣ ମିଶ୍ର ଏବଂ ପ୍ରଦୀପ୍ତ ନାୟକଙ୍କ ମଧ୍ୟରେ ମତଭେଦ ଥିବା ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ଶୁକ୍ରବାର କ୍ଷୋଭ ପ୍ରକାଶ କରିଥିଲେ ଜୟନାରାୟଣ। ଶନିବାର ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ୍ତ। ସେ କହିଛନ୍ତି, ବିିରୋଧୀ ଦଳ ନେତା ଚୟନରେ କୌଣସି ଫିକ୍ସିଂ ହୋଇନାହିଁ। ସବୁ ବିଧାୟକଙ୍କ ସହମତିରେ ଏହି ଦାୟିତ୍ୱ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଦିଆଯାଇଥିଲା। ଏପରିକି ତାଙ୍କୁ ମଧ୍ୟ କିଛି ବିଧାୟକ ବିରୋଧୀ ଦଳ ନେତା କରିବାକୁ ଚାହୁଁଥିଲେ। ତେଣୁ ଜୟନାରାୟଣ କ୍ଷୋଭ ପ୍ରକାଶ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ପ୍ରକାଶଯୋଗ୍ୟ, ଜୟନାରାୟଣଙ୍କୁ ବିରୋଧୀ ଦଳ ନେତା ଚୟନ କରିବା ଏକ ପ୍ରକାର ଚୂଡ଼ାନ୍ତ ହୋଇସାରିଥିଲା। କେନ୍ଦ୍ରୀୟ ନେତୃତ୍ୱଙ୍କ କହିବାନୁଯାୟୀ, ସେ କାମ ମଧ୍ୟ ଆରମ୍ଭ କରିଦେଇଥିଲେ। ତାଙ୍କୁ ବିରୋଧୀ ଦଳ ନେତା କରିବାକୁ ସମସ୍ତେ ଚାହୁଁଥିଲେ। ମାତ୍ର ଶେଷ ମୁହୂର୍ତ୍ତରେ ଦଳ ନିଷ୍ପତ୍ତି ପରିବର୍ତ୍ତନ କରିଥିଲା ବୋଲି ସେ କ୍ଷୋଭ ପ୍ରକାଶ କରି କହିଥିଲେ।

Share