ବିରୋଧୀ ଦଳ ନେତା ପଦକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୮।୫(ବ୍ୟୁରୋ): ନିର୍ବାଚନ ପରେ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବା ବିଜେଡି ବିଧାୟକ ଦଳ ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ସର୍ବସମ୍ମତିକ୍ରମେ ନବୀନ ପଟ୍ଟନାୟକ ବିଧାୟକ ଦଳ ନେତାଭାବେ ଦାୟିତ୍ୱ ନେଇଛନ୍ତି। ସେହିପରି ଚଳିତ ନିର୍ବାଚନରେ ଭାଜପା ଦ୍ୱିତୀୟ ସ୍ଥାନ ପାଇ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଇବ। ତେଣୁ ଭାଜପାର ବିଧାୟକ ଦଳ ବୈଠକ ମଧ୍ୟ ଏହା ଭିତରେ ହୋଇଯିବ ବୋଲି ଶୁଣିବାକୁ ମିଳୁଛି। ଦଳ ପକ୍ଷରୁ କାହାକୁ ବିରୋଧୀ ଦଳ ନେତା କରାଯିବ ସେନେଇ ମଧ୍ୟ ଭାଜପା ନେତାଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଛି। ୨୦୧୪ ନିର୍ବାଚନରେ ବିଜୟୀ ହୋଇଥିବା ୧୦ ବିଧାୟକଙ୍କ ମଧ୍ୟରୁ କେହି ଜଣେ ହେଲେ ଏଥର ନିର୍ବାଚିତ ହୋଇନାହାନ୍ତି। ହେଲେ କେତେଜଣ ଅଭିଜ୍ଞ ନେତା ଏଥର ବିଧାନସଭା ପାଇଁ ନିର୍ବାଚିତ ହୋଇଛନ୍ତି। କିଏ ଏହି ପଦ ପାଇଲେ କାହାକୁ କେମିତି ସୁହାଇବ ସେଥିନେଇ ଭିତରେ ଭିତରେ ଲବି, ଦାବି ଆରମ୍ଭ ହୋଇଥିବା ସୂଚନା ମିଳୁଛି। ଆସନ୍ତା ୩୦ରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ତେଣୁ ବିଧାୟକ ଦଳ ବୈଠକ ଆସନ୍ତା ୧ କିମ୍ବା ୨ ତାରିଖରେ ବସିବାର ସମ୍ଭାବନା ରହିଛି। ତେବେ ଭାଜପାର ବିଧାୟକ ଦଳ ନେତା ବଛାଯିବା ପୂର୍ବରୁ ଜଣେ କେନ୍ଦ୍ରୀୟ ନେତାଙ୍କୁ ଓଡିଶା ଦାୟିତ୍ୱ ମିଳିଥାଏ। କେଉଁ କେନ୍ଦ୍ରୀୟ ନେତା ରାଜ୍ୟରେ ବିଧାୟକ ଦଳ ବୈଠକରେ ଯୋଗଦେବା ପାଇଁ ଦାୟିତ୍ୱ ପାଇବେ ସେକଥା ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଳନ ଦିନ ଜଣାପଡିବ ବୋଲି ବିଜୟୀ ହୋଇଥିବା କେତେଜଣ ବିଧାୟକ ମତ ରଖିଛନ୍ତି। ଯେଉଁ କେନ୍ଦ୍ରୀୟ ନେତାଙ୍କୁ ଦାୟିତ୍ୱ ମିଳିବ ସେ ବିଧାୟକମାନଙ୍କ ସହ ଆଲୋଚନା କରି ସର୍ବସମ୍ମତିକ୍ରମେ ବିରୋଧୀ ଦଳ ନେତା ଚୟନ କରି ବୈଠକ ଶେଷରେ ଏକ ପ୍ରସ୍ତାବ ପାରିତ କରିବେ। ସୂଚନାଯୋଗ୍ୟ ଯେ, ଗତଥର ନିର୍ବାଚନ ପରେ ଭାଜପା ରାଜ୍ୟ ବିଧାୟକ ଦଳ ନେତା ବଛାଯିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜଭଡେକରଙ୍କୁ ଓଡିଶା ଦାୟିତ୍ୱ ମିଳିଥିଲା ବୋଲି ଦଳର ଜଣେ କାର୍ଯ୍ୟକର୍ତ୍ତା ସୂଚନା ଦେଇଛନ୍ତି। ଏଥର କାହାକୁ ଦାୟିତ୍ୱ ମିଳିବ ତାହା ମଧ୍ୟ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି କଂଗ୍ରେସ ବିଧାୟକ ଦଳ ବୈଠକ ମଧ୍ୟ ଆସନ୍ତା ଗୁରୁବାର ଅନୁଷ୍ଠିତ ହେବ ବୋଲି ପିସିସି ପକ୍ଷରୁ ସୂଚନା ମିଳିଛି। ସେହିଦିନ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ଚୟନ କରାଯିବ ବୋଲି ଜଣାପଡିଛି।

Share