ପୁରୀକୁ ଆସୁଛନ୍ତି ୨ ହଜାରରୁ ଊର୍ଦ୍ଧ୍ୱ ନାଗା ସାଧୁ

ପୁରୀ ଅଫିସ, ୪ା୯:ମଠ ଉଚ୍ଛେଦକୁ ନେଇ ମଙ୍ଗଳବାର ସାଧୁସନ୍ଥଙ୍କ ପ୍ରତିବାଦ ଯୋଗୁ ପ୍ରଶାସନ ପକ୍ଷରୁ ବଡ ଆଖଡା ମଠ ଉଚ୍ଛେଦକୁ ସ୍ଥଗିତ ରଖିଛି। ତେବେ ସାଧୁ ସନ୍ଥଙ୍କ ପ୍ରତିବାଦରେ ସାମିଲ ହେବା ଲାଗି ଦିନେ ଦୁଇଦିନ ମଧ୍ୟରେ ସାରା ଭାରତବର୍ଷରୁ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ନାଗା ସାଧୁ ପୁରୀକୁ ଆସୁଥିବା ବିଶେଷ ସୁତ୍ରରୁ ଜଣାପଡିଛି।

ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ମଠ ମହନ୍ତ ମାନଙ୍କ ଏକ କୌଣସି ଏକ ସ୍ଥାନରେ ରୁଦ୍ଧ ଦ୍ୱାର ବୈଠକ ହୋଇଥିଲା। ଏଥିରେ ପ୍ରଶାସନ ପକ୍ଷରୁ ଚାଲିଥିବା ମଠ ଉଚ୍ଛେଦ ପ୍ରକ୍ରିୟାକୁ ମହନ୍ତ ମାନେ ତୀବ୍ର ବିରୋଧ କରିଥିଲେ। ପ୍ରଶାସନ ଦେବୋତ୍ତର କମିଶନଙ୍କ ବିନା ପରାମର୍ଶରେ ମଠକୁ ବିପଦସଙ୍କୁଳ ଦର୍ଶାଇ ଭାଙ୍ଗିବାକୁ ଯୋଜନା କରିଛି। ଏହାକୁ କୌଣସି ପରିସ୍ଥିତିରେ ମଧ୍ୟ ଗ୍ରହଣ କରାଯିବ ନାହିଁ। ଏ ସମ୍ପର୍କରେ ବୁଧବାର ମହନ୍ତ, ସାଧୁସନ୍ଥଙ୍କ ପ୍ରତିନିଧି ଦଳ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବା ଲାଗି ସ୍ଥିର ହୋଇଛି। ମଠ ମନ୍ଦିରାଧିଶ ସେବା ସଂଘ ଅଖିଳ ଭାରତୀୟ ମଠ ମନ୍ଦିର ସୁରକ୍ଷା ପରିଷଦର ସହଯୋଗ ଲୋଡିଥିବା ଜଣାପଡିଛି। ପୁରୀର ସାଧୁସନ୍ଥ, ମଠ ମହନ୍ତଙ୍କୁ ସହଯୋଗ ଲାଗି ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ଶତାଧିକ ନାଗା ସାଧୁ ପୁରୀକୁ ଆସିବା ଲାଗି ଟ୍ରେନ ଧରିଥିବା ଜଣାପଡିଛି। ଏହି ନାଗା ସାଧୁ ପ୍ରଶାସନର ମଠ ଉଚ୍ଛେଦକୁ ବିରୋଧ କରିବେ। ଆଗାମୀ ଦିନରେ ପୁରୀରେ ସାଧୁସନ୍ଥ ମାନଙ୍କ ବଡ଼ ଧରଣର ମେଳି ହେବାକୁ ଯାଉଛି। ପ୍ରଶାସନକୁ ଘେରିବା ଲାଗି ସାଧୁସନ୍ଥ ମାନେ ଏକତ୍ରିତ ହେଉଥିବା ବିଶେଷ ସୁତ୍ରରୁ ଜଣାପଡିଛି। ଅନ୍ୟପଟେ ମଠ ଉଚ୍ଛେଦ ପ୍ରକ୍ରିୟାକୁ ବିଶ୍ୱ ହିନ୍ଦୁ ପରିଷଦ ତୀବ୍ର ନିନ୍ଦା କରୁଛି ବୋଲି ଉତ୍କଳ ପ୍ରାନ୍ତ ଉପାଧ୍ୟକ୍ଷ ପ୍ରମୋଦ ଆଚାର୍ଯ୍ୟ କହିଛନ୍ତି। ମଠ ମନ୍ଦିର ଉଚ୍ଛେଦକୁ ଭିଏଚପି ଆଦୌ ଗ୍ରହଣ କରିବ ନାହିଁ। ଆବଶ୍ୟକ ପଡିଲେ, ଭିଏଚପି ରାଜରାସ୍ତାକୁ ଓହ୍ଳାଇବ ବୋଲି ଚେତାବନୀ ଦେଇଛନ୍ତି।

Share