ବିଲକୁ ମାଡୁନି ପାଣି: ରେଲୱେ ସାଇଫନ ସାଜିଛି ବାଧକ

କେନ୍ଦୁଝର, ୧୨।୧୦( ସ୍ବ.ପ୍ର.)-କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନଇଗାଁ ଅଞ୍ଚଳର ଚାଷୀ ଜମିକୁ କେନାଲ ପାଣି ମଡାଇ ନ ପାରି ଚିନ୍ତାରେ ପଡିଛନ୍ତି। ବର୍ତ୍ତମାନ ଧାନ ଫସଲ ଲାଗି ଅଧିକ ପାଣି ଦରକାର କରୁଥିବା ବେଳେ ପାଖରେ କେନାଲ ଥାଇ ମଧ୍ୟ ଜମିକୁ ପାଣି ମାଡି ପାରୁ ନାହି । ନଇଗାଁ ଗ୍ରାମର ଚାଷୀ ପ୍ରଫୁଲ୍ଲ କୁମାର ନାୟକ, ପରମାନନ୍ଦ ନାୟକ, ଦିବାକର ନାୟକ, ଗୌରମୋହନ ନାୟକ, ଭାସ୍କର ଚନ୍ଦ୍ର ନାୟକ, କୈଳାସ ଚନ୍ଦ୍ର ମହାନ୍ତ, ମହେନ୍ଦ୍ର କୁମାର ନାୟକଙ୍କ ସମେତ ଅନ୍ୟ ଗ୍ରାମବାସୀ ଏହି ଅଭିଯୋଗ କରି କହିଛନ୍ତି, ଯଖପୁରା-ବାଂଶପାଣି ରେଳପଥର ସଂପ୍ରସାରଣ ପରିପ୍ରେକ୍ଷୀରେ ଏଠାରେ ଏକ ନୂତନ ସାଇଫନ ନିର୍ମାଣ ହୋଇଛି । ତ୍ରୁଟିପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଯୋଗୁ ନିକଟସ୍ଥ ବନ୍ଧର କେନାଲ ପାଣି ଉକ୍ତ ସାଇଫନ ଦେଇ ରେଲୱେ ଡ୍ରେନରେ ତଳକୁ ବୋହି ଯାଉଛି । ଫଳରେ ଚାଷ ଜମିରେ ପାଣି ପହଞ୍ଚି ପାରୁ ନାହିଁ । ବନ୍ଧରୁ ଅଧିକ ପାଣି ଛଡାଗଲେ ୭୦ ପ୍ରତିଶତ ଲିକ୍‌ ହୋଇ ତଳକୁ ବୋହିଯାଉଥିବାରୁ ମାତ୍ର ୩୦ପ୍ରତିଶତ ପାଣି ଆରପଟ କେନାଲ ଦେଇ ଚାଷ ଜମିରେ ମାଡୁଛି। ଫଳରେ ଏ ଅଞ୍ଚଳରେ ଏକପ୍ରକାର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ନିକଟସ୍ଥ ନୂଆବନ୍ଧରୁ ଏକ କେନାଲ ଉପରେ ରେଳପଥ ଯାଇଥିବା ବେଳେ ରେଲୱେ ଗ୍ରାମବାସୀଙ୍କ ଅଭିଯୋଗ ଓ ସମସ୍ୟା ପ୍ରତି ଦୃଷ୍ଟି ଦେଉ ନାହିଁ। ଚାଷୀମାନେ କେବଳ ବର୍ଷା ପାଣି ଉପରେ ହିଁ ଭରସା କରି ରହୁଛନ୍ତି। ତୁରନ୍ତ ଏହି ସାଇଫନ ମରାମତି କରି ଚାଷଜମିକୁ ଜଳଯୋଗାଇ ଦେବା ସକାଶେ ଗ୍ରାମବାସୀ ଦାବି କରିିଛନ୍ତି।