Categories: ମେଟ୍ରୋ

ବିଲଡରଙ୍କଠାରୁ ୨ କୋଟି ଠକେଇ : ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ଫେରାର

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଜମି କରାଇଦେବାକୁ କହି ଜଣେ ବିଲଡରଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇ ଫେରାର ଥିବା ଅଭିଯୁକ୍ତଙ୍କୁ ଗୁରୁବାର ଶହୀଦନଗର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଖଣ୍ଡଗିରି ଥାନା ଅଧୀନ ପାତ୍ରପଡା ଅଞ୍ଚଳର ଗଣେଶ ବିହାରୀ ଜଗଦ୍ଦେବ। ଏଥିସହ ଠକେଇରେ ସମ୍ପୃକ୍ତ ଅଭିଯୁକ୍ତ ଗଣେଶଙ୍କ ସ୍ତ୍ରୀ ଏବଂ ଶଳା ଫେରାର ଥିବା ପୋଲିସ କହିଛି। ସୂଚନା ମୁତାବକ, ୨୦୧୬ରେ ଶହୀଦନଗର ଅଞ୍ଚଳରେ ରହୁଥିବା ଅରୁଣ ଜ୍ୟୋତି ପଟ୍ଟନାୟକ ପାତ୍ରପଡା ଅଞ୍ଚଳରେ ପ୍ରୋଜେକ୍ଟ ଚଳାଇଥିଲେ। ପ୍ରୋଜେକ୍ଟ ପାଇଁ ଅଧିକ ଜମି ଆବଶ୍ୟକ ପଡିବାରୁ ଅରୁଣଙ୍କୁ ପାତ୍ରପଡ଼ା ଅଞ୍ଚଳରେ ୨ଏକର ଜମି କରାଇ ଦେବାକୁ କହି ଅଭିଯୁକ୍ତ ଗଣେଶ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇଥିଲେ। ଜାଲ କାଗଜପତ୍ର ଦେଇ ଟଙ୍କା ଠକେଇ କରିଥିବା ବିଲଡର ଜାଣିବାକୁ ପାଇଥିଲେ। ଉକ୍ତ ଜମିକୁ ସେ ପୂର୍ବରୁ ୨ଜଣଙ୍କୁ ବିକ୍ରି କରିଥିବା ଜଣାପଡିଥିଲା। ମାତ୍ର ବିଲଡରଙ୍କୁ ଅଭିଯୁକ୍ତ ଧରାଛୁଆଁ ନଦେଇ ଫେରାର ହୋଇଯାଇଥିଲେ। ଶେଷରେ ଅରୁଣ ଗତ ଏପ୍ରିଲରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା(ନଂ. ୨୫୨/୧୮) ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଅଭିଯୁକ୍ତ ଗଣେଶ ପାତ୍ରପଡ଼ାସ୍ଥିତ ଘରକୁ ଆସୁଥିବା ନେଇ ପୋଲିସ ଖବର ପାଇଥିଲା। ବୁଧବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରି ଗଣେଶଙ୍କୁ ଗିରଫ କରିଥିଲା।

Share