ବିଲଡ଼ରଙ୍କୁ ୨୦ ଲକ୍ଷ ଦାଦାବଟି ମାଗିବା ମାମଲା :ପୂର୍ବତନ ମେୟର ପିଣ୍ଟୁ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧ା୧୦-ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ବିଏମ୍‌ସିର ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁଙ୍କୁ ସୋମବାର କଡା ସୁରକ୍ଷାରେ ଅଣାଯାଇ କୋର୍ଟରେ ହାଜର କରାଯାଇଥିଲା। ବିଲଡ଼ର ଲଳିତ ମୋହନ ମଙ୍ଗରାଜଙ୍କୁ ପିଣ୍ଟୁ ୨୦ ଲକ୍ଷ ଟଙ୍କା ଦାଦାବଟି ମାଗିବା ମାମଲାର ଅତିରିକ୍ତ ଜିଲା ଜଜ (ଏଡିଜେ)-୨ ଙ୍କ କୋର୍ଟରେ ଚୂଡାନ୍ତ ରାୟ ପ୍ରକାଶ ପାଇଛି। ଏଡିଜେ-୨ ଜଗଦୀଶ ପ୍ରସାଦ ମହାନ୍ତି ପ୍ରମାଣ ଅଭାବରୁ ପିଣ୍ଟୁଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି କୁରେଶ ଗୌଡ଼ ଓ ମୁଦାଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କୈଳାସ ପଣ୍ଡା, ପ୍ରଭାକର ସାବତ ଓ ଶିବ ନାରାୟଣ ସାହୁ ମକଦ୍ଦମା ପରିଚାଳନା କରୁଥିଲେ। ଧର୍ମର ଜୟ ହେଲା ବୋଲି ପିଣ୍ଟୁ ରାୟ ପ୍ରକାଶ ପରେ କହିଛନ୍ତି।
ପ୍ରକାଶ ଯେ, ପୂର୍ବରୁ ଏହି ମାମଲାରେ ସରକାରୀ ଓକିଲ ଓ ପ୍ରତିପକ୍ଷ ଓକିଲଙ୍କ ମଧ୍ୟରେ ଜବାବ ସୁଆଲ ହୋଇଥିଲା। କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇଁ ସୋମବାର ଦିନ ଧାର୍ଯ୍ୟ ହୋଇଥିଲା। ସୂଚନାଯୋଗ୍ୟ, ୨୦୧୫ରେ ଗୋଳନ୍ଥରା ଥାନା ହଳଦିଆପଦରରେ ଜମି କିଣାବିକାକୁ କେନ୍ଦ୍ରକରି ପିଣ୍ଟୁ ଓ ତାଙ୍କ ସହଯୋଗୀମାନେ ବିଲଡ଼ର ଲଳିତ ମୋହନ ମଙ୍ଗରାଜଙ୍କୁ ବନ୍ଧୁକ ଦେଖାଇ ୨୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ ବୋଲି ଲଳିତ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୧୨୮/୧୫ରେ ମାମଲା ରୁଜୁକରି ପିଣ୍ଟୁଙ୍କ ସମେତ ଅନ୍ୟମାନଙ୍କୁ ଅଭିଯୁକ୍ତ ଦର୍ଶାଇ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲା। କୋର୍ଟରେ ବିଲଡ଼ର ଲଳିତଙ୍କ ସମେତ ୧୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସେପଟେ ପିଣ୍ଟୁ ନିଜକୁ ନିର୍ଦ୍ଦୋଷ କହିଥିବା ବେଳେ ତାଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି ବୋଲି କହିଥିଲେ। ଗତ ମାସ ୧୮ ତାରିଖରେ ଗୋଳନ୍ଥରା ପୋଲିସ ଅଭିଯୁକ୍ତଙ୍କଠାରୁ ଜବତ କରିଥିବା ବନ୍ଧୁକ କୋର୍ଟରେ ଦାଖଲ କରିଥିଲା।

Share