ବିଲରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ

ଭଣ୍ଡାରିପୋଖରୀ,୨୯।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ନଗୁଁଆ ପଞ୍ଚାୟତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଦମକଳ କେନ୍ଦ୍ର ପଛପଟ ବିଲ ବୁଦା ନିକଟରୁ ରବିବାର ଅପରାହ୍ନରେ ଜଣେ ବୃଦ୍ଧାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତା ବୃଦ୍ଧା ହେଲେ ସ୍ଥାନୀୟ ବାହାଦଲପୁର ଗ୍ରାମର ସେବତୀ ଦାସ(୫୮)। ଏ ନେଇ ଭଣ୍ଡାରିପୋଖରୀ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୩୦/୧୯) ରୁଜୁ କରାଯାଇ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ପୋଲିସ ସୂଚନା ଅନୁଯାୟୀ, ସେବତୀ ଗତ ୨୦ ତାରିଖରୁ ନିଖୋଜ ହୋଇଯାଇଥିବା ତାଙ୍କ ଭାଇ ରହଣିଆ ପଞ୍ଚାୟତ ରାଢ଼ୋ ଗ୍ରାମର ଦୀନବନ୍ଧୁ ରାଉତ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା। ରବିବାର ବିଲରୁ ମୃତଦେହ ଉଦ୍ଧାର ପରେ ପରିବାର ଲୋକ ଚିହ୍ନଟ କରିଥିଲେ।