Categories: ଭଦ୍ରକ

ବିଲରେ ଚାଷୀଙ୍କ ସନ୍ଦେହଜନକ ମୃତ୍ୟୁ

ବାସୁଦେବପୁର, ୨୯।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ନୂଆଗଁା ଗ୍ରାମର ଶତୃଘ୍ନ ମଳିକ ନାମକ ଜଣେ ଚାଷୀଙ୍କର ସୋମବାର ପୂର୍ବାହ୍ନରେ ବିଲରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ବାସୁଦେବପୁର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଇଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୨୯/୧୯) ରୁଜୁ କରାଯାଇଛି।
ମୃତ ଶତୃଘ୍ନଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ସେ ସକାଳେ ବିଷ ଓ ସାର ପକାଇବା ପାଇଁ ନୂଆଗଁା ନିକଟସ୍ଥ ଘେରି ବିଲକୁ ଯାଇଥିଲେ। ବିଲରେ ସେ ହଠାତ୍‌ ସଜ୍ଞାହୀନ ହୋଇ ପଡ଼ିରହିଥିଲେ। ଲୋକଙ୍କଠାରୁ ଖବର ପାଇ ସମ୍ପର୍କୀୟମାନେ ଯାଇ ତାଙ୍କୁ ବିଲରୁ ଆଣି ବାସୁଦେବପୁର ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଲରେ କୌଣସି ବିଷଧର ସାପ କାମୁଡ଼ାରେ ଶତୃଘ୍ନଙ୍କର ମୃତ୍ୟୁ ହୋଇ ଥାଇପାରେ ବୋଲି ସେମାନେ ସନ୍ଦେହ କରୁଛନ୍ତି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଇଛି।