ବିଲରେ ପଚୁଛି ତରଭୁଜ

ଦେବଗଡ,୨୬ା୩(ଡି.ଏନ.ଏ.): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ କାଳ ବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ବ୍ୟାପକ ଫସଲ ନଷ୍ଟ ହୋଇଛି । ବାରକୋଟ ବ୍ଲକ ମଧ୍ୟପୁର ପଞ୍ଚାୟତର ଲାଣ୍ଡିଝରୀ ଗ୍ରାମରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି। ଡିଲେଶ୍ୱର ବେହେରା, ଚୌଧୁରୀ ବେହେରା, ବୁଧୁ ବେହେରା ଓ ଗଣେଶ୍ୱର ପାତ୍ରଙ୍କ ସମେତ ବହୁ ଚାହୀଙ୍କର ଆଳୁ, ପିଆଜ ଓ ରସୁଣ ସମେତ ବିଭିନ୍ନ ଫସଲ ନଷ୍ଟ ହୋଇଥିଲା । ବିଶେଷ ଭାବେ ଅର୍ଥକାରୀ ତଥା ଅମଳକ୍ଷମ ତରଭୁଜ ଗୁଡିକ ଫାଟି ଯାଇଛି। ଆଉ ଯାହା ବି ବାକି ରହିଛି ତାହା ବିକ୍ରି କରି କିଛି ଆୟର ଅଶା ରଖିଥିବା ଚାଷୀର ସ୍ବପ୍ନ କରୋନା ଯୋଗୁ ଧୂଳିସାତ ହୋଇଯାଇଛି। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକ୍‌ ଡାଉନ୍‌ ଘୋଷଣା କରିବାରୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ଏହି କାରଣରୁ ଜିଲା ତଥା ରାଜ୍ୟ ବାହାରୁ ଆସୁଥିବା ଟ୍ରକ୍‌ଗୁଡିକ ଆସିପାରୁ ନ ଥିବାରୁ ଶହଶହ ଟନ୍‌ ଅମଳକ୍ଷମ ତରଭୁଜ ବିକ୍ରି ହୋଇ ନ ପାରି ବିଲରେ ପଚି ଯାଉଛି। ଫଳରେ ଦି ପଇସା ରୋଜଗାର ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଋଣ କରି ଚାଷ କରିଥିବା ଚାଷୀଙ୍କ ମଧ୍ୟରେ ନୈରାଶ୍ୟ ଭାବ ସୃଷ୍ଟି ହୋଇଛି। ଜିଲା କୃଷି ଓ ଉଦ୍ୟାନ ବିଭାଗ ଏବଂ ଜିଲା ପ୍ରଶାସନ ତରଭୁଜ ବିକ୍ରି ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ସହ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଲାଣ୍ଡିଝରୀ ଗ୍ରାମବାସୀ ଦାବି କରିଛନ୍ତି।