ବିଲରେ ପଚୁଛି ପରିବା, ଋଣ ଶୁଝିବା ଚିନ୍ତାରେ ଚାଷୀ

ବାଲିଗୁଡା,୨୩ା୪(ଡି.ଏନ୍‌.ଏ.)- ପରିବାର ଚାଷୀଙ୍କ ଉପରେ କରୋନା ମାଡ। ଗଛରେ ପଚିଗଲାଣି ବାଇଗଣ, ବିଲାତି। ପୋଟଳ ଜମିରେ ପାଚି ହଳଦିଆ ପଡିଥିବାବେଳେ, କଦଳୀ ଗଛରେ ପାକଳ ହୋଇଗଲାଣି। ବେପାରୀ ଆସୁ ନଥିବାରୁ ବିକ୍ରି ହୋଇପାରୁନାହିଁ। ଋଣ କରି ପରିବା ଓ କଦଳୀ ଚାଷ କରିଥିବା ଚାଷୀ ଏବେ କିପରି ଋଣ ଶୁଝିବ ଚିନ୍ତା ଘାରିଛି। ଏପରି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ। ଏକର ଏକର ଜମିରେ ପରିବା ଓ କଦଳୀ ଚାଷ କରିଥିବା ଚାଷୀ ମୁଣ୍ଡରେ ଏବେ ଚଡକ। ଏକର ପିଛା ୨୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ କରି ପରିବା ଚାଷ କରିଥିଲା ଚାଷୀ। ପାଣିପାଗ ଅନୁକୂଳ ଯୋଗୁ ଭଲ ଫଳ ମଧ୍ୟ ଧରିଥିଲା। ଆଶା କରିଥିଲା ଭଲ ଦି ପଇସା ରୋଜଗାର କରିବ ବୋଲି। ମାତ୍ର କରୋନା କଟକଣା ସବୁ ଆଶା ଧୂଳିସାତ୍‌ କରି ଦେଇଛି। ଜିଲା ବାହାରକୁ ପରିବା ଯାଇ ପାରୁ ନାହିଁ। ପାଖ ବଜାରକୁ ନେଇ ଶାଖ ମାଛ ଦରରେ ବିକିବାକୁ ପଡୁଛି। ସବୁ ଉଜୁଡିଯିବା ପରେ ଏବେ ଚାଷୀ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି। ସହାୟତା ନ ମିଳିଲେ ଆଗକୁ ପରିବାର ଚଳାଇବା କଷ୍ଟକର ହୋଇପଡିବ ବୋଲି ବହୁ ଚାଷୀ କ୍ଷୋଭର ସହ କହିଛନ୍ତି।

Share