Categories: ଭଦ୍ରକ

ବିଲୁପ୍ତ ହେବାକୁ ବସିଲାଣି କୁଣ୍ଡି ନଦୀ

ତିହିଡ଼ି,୧୮ା୩(ସ୍ବ.ପ୍ର.)- ନଦୀ ଏକ, ନାମ ଏକାଧିକ । ଏପରି ଏକ ନଦୀ ହେଲା କୁଣ୍ଡି ନଦୀ। ଭିନ୍ନ ଭିନ୍ନ ସ୍ଥାନରେ ଲୋକେ ଏହାକୁ ଚୂଡ଼ାଖିଆ, ଗୁପ୍ତଗଙ୍ଗା, କରଞ୍ଜଇ, ଧଳା ନଦୀ ବୋଲି କହନ୍ତି। ଭଦ୍ରକ ଜିଲାର ସାଳନ୍ଦୀ ନଦୀ ସହିତ ସଂଯୋଗ କରୁଥିବା ଦଶମୌଜା କେନାଲ ଅଞ୍ଚଳରୁ ଏହା ବେନ୍ତାଳ ପଞ୍ଚାୟତ ଭବାନୀବିନ୍ଧା ମୌଜାର ବାଗସିରିଆଠାରୁ ବାହାରି ଦଧିବାମନପୁରଠାରେ ମନ୍ତେଇ ନଦୀକୁ ସଂଯୋଗ କରୁଛି। ସରକାରୀ ଭାବେ ନଦୀର ମାନ୍ୟତା ପାଇ ନ ଥିଲେ ବି ଭଦ୍ରକ, ତିହିଡ଼ି ଓ ବାସୁଦେବପୁର ବ୍ଲକ ଅଧୀନ ପ୍ରାୟ ୨୦ରୁ ଊଦ୍ଧର୍‌ବ ପଞ୍ଚାୟତର ଜୀବନ ରେଖାଭାବେ ପରିଚିତ ଏହି ନଦୀ ଏବେ ସମ୍ପୂର୍ଣ୍ଣ ବିଲୁପ୍ତ ହେବାକୁ ବସିଲାଣି।
ସ୍ଥାନୀୟ ପୁରୁଖା ଚାଷୀଙ୍କ ସୂଚନା ଅନୁଯାୟୀ, ସେମାନେ ଆଗରୁ କୁଣ୍ଢି ନଦୀ ଉପରେ ନିର୍ଭରକରି ଖରିଫ ଓ ରବି ଚାଷ କରୁଥିଲେ। କ୍ରମଶଃ ଏହା ପୋତି ହୋଇପଡ଼ିବାରୁ ୨୦୦୮ରୁ ନଦୀତଟ ଅଞ୍ଚଳରେ ଚାଷ ବନ୍ଦ ହୋଇ ଗଲାଣି। ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଧସି ଏହି ନଦୀ ସଙ୍କୁଚିତ ହେବା ସହ କେତେକ ସ୍ଥାନରେ ସ୍ଥିତି ହରାଇବସିଛି। ପୂର୍ବରୁ ଏଥିରେ ସାଳନ୍ଦୀ ନଦୀର ମଧୁର ଜଳ ପ୍ରବାହିତ ହେଉଥିଲା । କିନ୍ତୁ ଏବେ ମନ୍ତେଇ ନଦୀର ଲୁଣା ପାଣି କୁଣ୍ଢି ନଦୀକୁ ପ୍ରବେଶ କରୁଛି। ଏଥିଲାଗି ଚାଷୀମାନେ ଆଉ ରବି ଫସଲ କରି ପାରୁ ନାହାନ୍ତି। ଏ ସମ୍ପର୍କରେ ଚାଷୀମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ନିରାଶ ହୋଇଥିବା ସ୍ଥାନୀୟ ଚାଷୀ ରାଜେନ୍ଦ୍ର ଗାରେଡ଼ି ଓ ଅନ୍ୟ ଗ୍ରାମବାସୀ କହିଛନ୍ତି। ନଦୀ ସଂସ୍କାର ଯୋଜନାରେ କୁଣ୍ଡି ନଦୀକୁ ଗଭୀର ଓ ଓସାରିଆ କରି ଜଳସେଚନ ବ୍ୟବସ୍ଥା କରିବା ସକାଶେ କ୍ଷେତ ମଜଦୁର ୟୁନିୟନ ବାରମ୍ବାର ଦାବିକରି ଆସୁଛି। ପାଳିଆଠାରେ ଏକ ସ୍ଲୁଇସ ଗେଟ୍‌ କରାଗଲେ ଲୁଣାପାଣିକୁ ରୋକାଯାଇ ପାରିବ ବୋଲି ଦାବି କରାଯାଇ ଆସୁଛି। ଧାମନଗର ବିଧାୟକ ବିଷ୍ଣୁ ସେଠୀ ତିହିଡ଼ି ବ୍ଲକ ଅଞ୍ଚଳରେ ପ୍ରବାହିତ କୁଣ୍ଢି ନଦୀର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ଲାଗି ମଧ୍ୟ ଦାବି କରିଛନ୍ତି। ସର୍ବେକ୍ଷଣ ଏବଂ ତଦନ୍ତ ପରେ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିଲେ ବି ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏ ସମ୍ପର୍କରେ ତିହିଡ଼ି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ କହିଛନ୍ତି, କୁଣ୍ଡିନଦୀର ପୁନରୁଦ୍ଧାର ଲାଗି ବହୁ ଅର୍ଥର ଆବଶ୍ୟକତା ରହିଛି। ତେବେ ଜଳ ସମ୍ପଦ ବିଭାଗ ମାଧ୍ୟମରେ ଏହାର ପୁନରୁଦ୍ଧାର ପାଇଁ ଯୋଜନା କରାଯାଉଛି।
ଫଟୋ-