Categories: ରାୟଗଡା

ବିଲ୍ଟ ପେପର ମିଲରେ ପୁଣି ଅଚଳାବସ୍ଥା:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ୟୁନିୟନ

ଜୟପୁର,୨୧।୪(ନି.ପ୍ର.): ଜୟପୁର ବିଲ୍ଟ ପେପର ମିଲ୍‌ରେ ପୁଣିଥରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କଞ୍ଚାମାଲ ନାହିଁ, ପୁଣି ଆବଶ୍ୟକ କେମିକାଲର ଅଭାବ। ଗତ ଫେବୃଆରୀରୁ କର୍ମଚାରୀ ଓ ଅନ୍ୟ ଠିକା କର୍ମଚାରୀ ଦରମା ପାଇନାହାନ୍ତି। କର୍ମଚାରୀଙ୍କ ପିଲାମାନେ ଏବେ ସ୍କୁଲରେ ନାମଲେଖା କିମ୍ବା ରିଆଡମିଶନ କରିପାରୁ ନାହାନ୍ତି। ପୁରୁଣା କର୍ମଚାରୀ ସେମାନଙ୍କ ଦରମା ପାଇନାହାନ୍ତି କି ଅବସର ନେଇଥିବା କର୍ମଚାରୀ ମଧ୍ୟ ୨ ବର୍ଷ ହେବ ସେମାନଙ୍କ ବକେୟା ନେଇନାହାନ୍ତି। ପରିବାର ଭୋକ ଉପାସରେ ରହିବା ସମୟ ମଧ୍ୟ ଆସିଗଲାଣି ବୋଲି ବିଲ୍ଟ ସେବା ପେପର ମିଲ ଏମ୍ପ୍ଲୋୟର୍ସ ୟୁନିୟନର ସାଧାରଣ ସମ୍ପାଦକ ପ୍ରମୋଦ ମହାନ୍ତି କହିଛନ୍ତି। ଏଥିରେ ତୁରନ୍ତ ହସ୍ତକ୍ଷେପ କରି ସମାଧାନ ପାଇଁ ଜିଲାପାଳଙ୍କୁ ସେ ପତ୍ର ଲେଖି ଅନୁରୋଧ କରିଛନ୍ତି।ଏପ୍ରିଲ ୨୦ରୁ ପେପର ମିଲର ଉତ୍ପାଦନ ପୁଣି ବନ୍ଦ ହୋଇଛି। ମିଲ୍‌ର କର୍ମଚାରୀମାନେ ଏବେ ନିଜ ଭବିଷ୍ୟତ ନେଇ ଅନିଶ୍ଚିତତା ଭିତରେ ରହିଛନ୍ତି। ଗତ ଅକ୍ଟୋବର ୫ରେ ମିଳିତ କମିଟି ବୈଠକରେ ଜନ ପ୍ରତିନିଧି, ୪ଟି ୟୁନିୟନର ସଦସ୍ୟ, ପ୍ରଶାସନ, ମିଲ କର୍ତ୍ତୃପକ୍ଷ ଉପସ୍ଥିତ ରହି କାରଖାନା ସ୍ବାର୍ଥକୁ ଦୃଷ୍ଟିରେ ରଖି କେତେକ ସର୍ତ୍ତ ରଖାଯାଇଥିଲା। ଏଥିରେ କର୍ମଚାରୀ ଓ ମିଲ୍‌ କର୍ତ୍ତୃପକ୍ଷଙ୍କ ସହମତି ପରେ ବନ୍ଦ ହୋଇ ପଡ଼ିଥିବା ମିଲ୍‌ ଅକ୍ଟୋବର ୨୯ରେ ପୁନଃ କାର୍ଯ୍ୟକ୍ଷମ ହୋଇଥିଲା। ସେହିଦିନଠାରୁ ମିଲ୍‌ ସୁରୁଖୁରୁରେ ଚାଲିଥିବା ବେଳେ କୌଣସି ସ୍ଥାୟୀ କିମ୍ବା ଠିକା କର୍ମଚାରୀ ଅସହଯୋଗ ତଥା ବିଶୃଙ୍ଖଳା କରିନାହାନ୍ତି। ଏହି ମିଲ୍‌ ଉପରେ ୪୫୦ ସ୍ଥାୟୀ, ୭ ଶହ ଅସ୍ଥାୟୀ, ୨ ଶହ ଅଧିକାରୀ ନିୟୋଜିତ ଥିବାବେଳେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୫ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି। ତେଣୁ ଜୟପୁରବାସୀଙ୍କ ସ୍ବାର୍ଥ ଦୃଷ୍ଟିରେ ରଖି ମିଲ୍‌ ପୁଣି କିପରି ଚାଲିବ ଓ କର୍ମଚାରୀ ଦରମା ପାଇବେ, ଏଥିରେ ଜିଲାପାଳ ହସ୍ତକ୍ଷେପ କରିବାକୁ ନିବେଦନ କରାଯାଇଛି।