ବିଲ୍‌ଡରଙ୍କ ଗାଡ଼ି ସହ ଜଳିଗଲା ୩ କାର

କଟକ ରୋଡ,୧୫ା୧୦(ଡି.ଏନ୍‌.ଏ.) : ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ୱର ଅଞ୍ଚଳରେ ସୋମବାର ୩ଟି ଗାଡ଼ି ଜଳିଯାଇଛି। ଉକ୍ତ ଗାଡ଼ି ମଧ୍ୟରେ ଜଣେ ବିଲ୍‌ଡରଙ୍କ ଗାଡ଼ି ପୋଡ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୩ଟାରେ ଚିନ୍ତାମଣିଶ୍ୱେର ଲେନ-୩ରେ ଥିବା ଏକ ପଡ଼ିଆରେ ରଖାଯାଇଥିବା ଗାଡ଼ି ଗୁଡ଼ିକରେ ନିଅଁା ଲାଗିଥିବା ନେଇ ଜଣେ ଯୁବକ କଳ୍ପନା ଅଗ୍ନିଶମ କେନ୍ଦ୍ରକୁ ସୂଚନା ଦେଇଥିଲେ। ସହକାରୀ ଅଗ୍ନିଶମ ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ସହ ଏକ ଟିମ ପ୍ରାୟ ଅଧ ଘଣ୍ଟା ଉଦ୍ୟମ ପରେ ନିଅଁାକୁ ଆୟତ୍ତ କରିଥିଲେ। ଏଥିରେ ଉଇଙ୍ଗର ସହ ଏକ କାର ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଅନ୍ୟ ଏକ କାରର ଆଂଶିକ କ୍ଷତି ହୋଇଥିବା ଜଣାପଡିଛି। ପ୍ରଥମେ ଉଇଙ୍ଗରରେ ନିଅଁା ଲାଗିବା ପରେ ଏହା ଅନ୍ୟ ଗାଡ଼ିକୁ ବ୍ୟାପିଥିଲା ବୋଲି ଅଗ୍ନିଶମ କର୍ମଚାରୀ କହିଛନ୍ତି। ଉଇଙ୍ଗରଟି ଚିନ୍ତାମଣିଶ୍ୱର ଅଞ୍ଚଳରେ ରହୁଥିବା ଜଣେ ବିଲଡରଙ୍କ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଜଣେ ନାବାଳକଙ୍କ ସିଗାରେଟ ନିଅଁାରୁ ଗାଡ଼ି ପୋଡ଼ିଥିବା ନେଇ ଲୋକେ ଉକ୍ତ ନାବାଳକଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ଘଟଣା ସମ୍ପର୍କରେ ଉକ୍ତ ନାବାଳକଙ୍କୁ ପଚରାଉଚରା କରାଯାଇଥିବା ଥାନା ଅଧିକାରୀ ଦୟାନିଧି ନାୟକ କହିଛନ୍ତି। ସହକାରୀ ଅଗ୍ନିଶମ ଅଧିକାରୀ ବେହେରା କହିଛନ୍ତି, କେହି ନିଅଁା ଲଗାଇଦେଇ ଥାଇପାରେ କିମ୍ବା ସିଗାରେଟ ଯୋଗୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ସେ କହିଥିଲେ। ଖବର ଲେଖା ହେବା ବେଳକୁ ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଥାନା ଅଧିକାରୀ କହିଛନ୍ତି।

Share