ବିଲ ମଧ୍ୟରୁ ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର: ବଳାତ୍କାର ପରେ ହତ୍ୟା ସନ୍ଦେହ

ସୁନ୍ଦରଗଡ଼,୨୩।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ମାର୍‌ଖୀପଡ଼ା ହରଡ଼ ବିଲ ମଧ୍ୟରୁ ଗୁରୁବାର ଜଣେ ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ କୁକୁରଭୁକା ଗ୍ରାମର ମୀନା ବାହାଲା(୩୦)। ସ୍ଥାନୀୟ ଗ୍ରାମବାସୀଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଯୁବତୀଙ୍କ ବେକରେ କଟା ଦାଗ ଥିବା ବେଳେ ଗୋଟିଏ ହାତ କଟାଯାଇଛି। ଏପରିକି ତାଙ୍କ ମୃତଦେହ ପାଖରେ ଏକ ଚପଲ ପଡ଼ି ରହିଛି। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

ପ୍ରକାଶଯୋଗ୍ୟ, ଗତ ଡିସେମ୍ବର ୨୮ ତାରିଖରୁ ମୀନା ନିଖୋଜ ଥିଲେ। ଏନେଇ ପରିବାର ପକ୍ଷରୁ ୨୯ ତାରିଖରେ କୁତ୍ରା ଥାନାରେ ନିଖୋଜ ଅଭିଯୋଗ କରାଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଅପରାହ୍ନରେ ହରଡ଼ବିଲରେ ଯୁବତୀଙ୍କ ମୃତଦେହ ପଡ଼ିଥିବା ନେଇ ପୋଲିସ ଖବର ପାଇଥିଲା। ସୁନ୍ଦରଗଡ଼ରୁ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିବା ପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ସକାଶେ ପଠାଯିବ ବୋଲି ପୋଲିସ କହିଛି।

Share