Advertisement

ବିଳମ୍ବରେ ଆସିଲା ଶୀତ: ପନିପରିବା ଚାଷ ପ୍ରଭାବିତ

ଯୋଡ଼ା,୭।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳକୁ ଚଳିତ ବର୍ଷ ବିଳମ୍ବରେ ଶୀତ ଆସିଛି। ଗତ ମଙ୍ଗଳବାରଠାରୁ ଏଠାରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ଦିନବେଳା ତାପମାତ୍ରା ସର୍ବାଧିକ ୨୪ ଡିଗ୍ରୀ ରହୁଥିବା ବେଳେ ରାତିରେ ସର୍ବନିମ୍ନ ୧୩ ଡିଗ୍ରୀ ରହୁଥିବା ଜଣାପଡ଼ିଛି। ପ୍ରବଳ ଶୀତ ଯୋଗୁ ସନ୍ଧ୍ୟା ୭ଟା ସୁଦ୍ଧା ବଜାରଘାଟ ଶୂନଶାନ ହୋଇପଡୁଛି। ଗତବର୍ଷ ନଭେମ୍ବର ଦ୍ୱିତୀୟ ସପ୍ତାହରେ ତାପମାତ୍ରା ଦିନବେଳା ସର୍ବାଧିକ ୨୨ଡିଗ୍ରୀ ରହୁଥିବା ବେଳେ ରାତିରେ ସର୍ବନିମ୍ନ ୧୩ ଡିଗ୍ରୀ ରହିଥିଲା। ଦଶନ୍ଧି ପୂର୍ବରୁ ଅକ୍ଟୋବରରୁ ଶୀତ ପଡୁଥିଲା। ମାତ୍ର ଚଳିତ ବର୍ଷ ଋତୁଚକ୍ରରେ ବ୍ୟତିକ୍ରମ ହେତୁ ଯୋଡ଼ାକୁ ଶୀତ ବିଳମ୍ବରେ ଆସିଛି। ଫଳରେ କୋବି, ଟମାଟର, ବାଇଗଣ ଓ ଅନ୍ୟାନ୍ୟ ପନିପରିବା ଚାଷ ପ୍ରଭାବିତ ହେବା ସହ ଅମଳ ହ୍ରାସ ପାଉଥିବା ଯୋଡା ବ୍ଲକର ଚାଷୀ ବିମଳ ମହାନ୍ତ, ଟୁରା ମୁଣ୍ଡା, ବୈଶାଖ ମହାନ୍ତ ପ୍ରମୁଖ କହିଛନ୍ତିି। ବିଳମ୍ବରେ ଶୀତ ଋତୁ ଆସୁଥିବାରୁ ଏହା ସମୟ ଉପଯୋଗୀ ହୋଇପାରୁନାହିଁ। ଯୋଡ଼ାରେ ଖଣି ଖନନ ଅତୀତରେ ସୀମିତ ରହୁଥିଲା। ମାତ୍ର ଏହା ପରିବ୍ୟାପ୍ତ ଓ ବ୍ୟାପକ ଅଞ୍ଚଳରେ ହେବାରୁ ଋତୁଚକ୍ରରେ ଏହାର ପ୍ରଭାବ ପଡୁଥିବା ବୁଦ୍ଧିଜୀବୀ ସୋମନାଥ ମହାନ୍ତି, ମାନସ ଦାସ, ପୁରୁଷୋତ୍ତମ ଦାସ, ନିରଞ୍ଜନ ବହିଦାର, ହରେକୃଷ୍ଣ ମହାଳିକ ପ୍ରମୁଖ ମତ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share