Categories: ଜାତୀୟ

ବିଳମ୍ବରେ ପହଞ୍ଚିଲା ଆମ୍ବୁଲାନ୍ସ:ଆଖିବୁଜିଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ

ଅହମଦାବାଦ: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ମାଉସୀ ପୁଅ ଭାଇ ଅନିଲଭାଇ ସାଙ୍ଗଭିଙ୍କ ରାଜକୋଟରେ ପରଲୋକ ହୋଇଯାଇଛି। ଏଥିଲାଗି ୧୦୮ ଆମ୍ବୁଲାନ୍ସ ଆସିବାରେ ହୋଇଥିବା ଅହେତୁକ ବିଳମ୍ବକୁ ଦୋଷ ଦିଆଯାଇଛି। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲକୁ ନେବା ଲାଗି ଆମ୍ବୁଲାନ୍ସକୁ ଫୋନ ଯୋଗେ ଡ଼କାଯାଇଥିଲା। ବହୁ ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ଅନିଲଭାଇ ଆଖି ବୁଜିଦେଇଥିଲେ। ଘଟଣାଟି ଗତ ୪ ତାରିଖରେ ଘଟିଥିବାବେଳେ ରାଜ୍ୟରେ ସ୍ବାସ୍ଥ୍ୟାବସ୍ଥା ଓ ଏହାର ଭିତ୍ତିଭୂମିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିକରିଛି। ଏନେଇ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ରାଜକୋଟ ଜିଲାପାଳ ରେମ୍ୟା ମୋହନ ପ୍ରକାଶ କରିଛନ୍ତି। ସୌରାଷ୍ଟ୍ର କଳାକେନ୍ଦ୍ର ସୋସାଇଟି ନିକଟ ଅନିଲଭାଇଙ୍କ ଘର ନିକଟରେ ଆମ୍ବୁଲାନ୍ସ ପହଞ୍ଚିବା ଲାଗି ୩୯ ମିନିଟ ଲାଗିଥିବା ଜଣାପଡ଼ିଛି। ଘର ଠିକଣା ଖୋଜିବାରେ ବିଳମ୍ବ କାରଣରୁ ଆମ୍ବୁଲାନ୍ସ ପହଞ୍ଚିବାରେ ସମସ୍ୟା ସୃଷ୍ଟି ହୋଇଥିବା ଘଟଣା ପଦାକୁ ଆସିଛି। ରାଜକୋଟ ସ୍ବାସ୍ଥ୍ୟ ବିଭାଗର ଆଞ୍ଚଳିକ ଉପନିର୍ଦ୍ଦେଶକ ଘଟଣାର ତଦନ୍ତ କରୁଛନ୍ତି। ସ୍ବାସ୍ଥ୍ୟ ବିଭାଗର ଅସ୍ବାସ୍ଥ୍ୟକର ନୀତିକୁ ସମାଲୋଚନା କରାଯାଉଥିବାବେଳେ ଏଭଳି ବ୍ୟବସ୍ଥା କେବେ ସୁଧୁରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏମିତି ଗୋଟାଏ ପେର ଗୋଟାଏ ଜୀବନ ପାଣିଫୋଟକା ପରି ଚାଲିଯାଉଥିବାବେଳେ ଆମ୍ବୁଲାନ୍ସ ସୁବିଧା ଆଉକେତେଦିନ ଲୋକଙ୍କ ପାଇଁ ସାତସପନ ହୋଇ ରହିଥିବ?

Share