ବିଳମ୍ବରେ ପହଞ୍ଚୁଥିବା କର୍ମଚାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୦।୮(ବ୍ୟୁରୋ) : ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ କାର୍ଯ୍ୟାଳୟରେ ପହଞ୍ଚିବା ଲାଗି ସକାଳ ୧୦ଟା ଏବଂ ଫେରିବା ସମୟ ଅପରାହ୍ନ ୫ଟା ୩୦ ମିନିଟ ଧାର୍ଯ୍ୟ କରିଛନ୍ତି। ଏହି ସମୟ ପରେ ଆସୁଥିବା ଏବଂ ପୂର୍ବରୁ ଯାଉଥିବା କାର୍ମଚାରୀମାନଙ୍କୁ ଅନୁପସ୍ଥିତ ବୋଲି ଧରି ନିଆଯିବ। ଦିନକୁ କାର୍ଯ୍ୟାଳୟରେ କର୍ମଚାରୀମାନେ ଅତି କମରେ ସାଢ଼େ ୭ ଘଣ୍ଟା ରହିବାକୁ ବାଧ୍ୟ। ସାଧାରଣ ପ୍ରଶାସନ ବିଭାଗ ଓ ସାଧାରଣ ଉଦ୍ୟୋଗ ବିଭାଗ ପକ୍ଷରୁ ସମସ୍ତ କର୍ମଚାରୀଙ୍କ ପାଇଁ ଗୋଟିଏ ନିୟମ କରାଯାଇଛି। ମାତ୍ର କେତେକ କର୍ମଚାରୀ ଏହି ନିର୍ଦ୍ଦେଶନାମାକୁ ବେଖାତିର କରି ମନଇଚ୍ଛା କାର୍ଯ୍ୟାଳୟକୁ ଆସୁଥିବା ଜଣାପଡିଛି। ବିଳମ୍ବରେ ଆସୁଥିବା କର୍ମଚାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରେଜିଷ୍ଟ୍ରାର କୋ ଅପରେଟିଭ ସୋସାଇଟି ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ରେଜିଷ୍ଟ୍ରାର ବିଭୂତିଭୂଷଣ ପଟ୍ଟନାୟକ ଏ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। କେତେକ କର୍ମଚାରୀ ନିୟମିତ ଭାବେ ବିଳମ୍ବରେ ଆସୁଛନ୍ତି। ଯେଉଁମାନେ ବିଳମ୍ବରେ ଆସୁଛନ୍ତି ସେମାନଙ୍କୁ ଅନୁପସ୍ଥିତ ଭାବେ ଧରି ନିଆଯିବ। ଏଥିସହିତ ଯେଉଁମାନେ ବିନାନୁମତିରେ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀଙ୍କ ଉପସ୍ଥାନ ରେଜିଷ୍ଟରକୁ ପ୍ରତ୍ୟେକ ଦିନ ୧୦ଟା ୩୦ ସୁଦ୍ଧା ରେଜିଷ୍ଟ୍ରାରଙ୍କ ନିକଟରେ ଯାଞ୍ଚ କରିବା ପାଇଁ ରଖିବାକୁ ପ୍ରତ୍ୟେକ ବିଭାଗର ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗତ ସଚିବସ୍ତରୀୟ ବୈଠକରେ ମଧ୍ୟ ସଚିବମାନଙ୍କୁ କର୍ମଚାରୀଙ୍କ ଉପସ୍ଥାନକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁ କର୍ମଚାରୀମାନେ ଏହି ନିର୍ଦ୍ଦେଶନାମାକୁ ମାନୁନାହାନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।