ବିଳମ୍ବିତ ରାତିରେ ଆତଙ୍କ ଖେଳାଇଲେ ୫ ଯୁବକ : ବାର୍‌ରେ ପଶି ଆକ୍ରମଣ, ବାର୍‌ ଡ୍ୟାନ୍ସରଙ୍କୁ ପିଛା କରି ଲୁଟିଲେ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ଶନିବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଛକରୁ ସତ୍ୟବିହାର ପର୍ଯ୍ୟନ୍ତ ଆତଙ୍କ ଖେଳାଇଥିଲେ ୫ଜଣ ଯୁବକ। ପ୍ରଥମେ କଟକ ରୋଡ୍‌ରେ ଥିବା ରେନ୍‌ ଦି କ୍ଲବ୍‌ ବାର୍‌ରେ ପଶି ବାଉନ୍‌ସରଙ୍କୁ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ସେଠାରେ ବହୁ ସମୟ ଧରି ଉତ୍ତେଜନା ଦେଖାଦେଇଥିଲା। ଏହାପରେ ଅଟୋରେ ଘରକୁ ଫେରୁଥିବା ବାର୍‌ ଡ୍ୟାନ୍ସରମାନଙ୍କୁ ପିଛା କରି ସତ୍ୟବିହାର ଅଞ୍ଚଳରେ ଅଟକାଇ ତାଙ୍କଠାରୁ ଲୁଟ୍‌ପାଟ କରିଥିଲେ। ଘଟଣାକୁ ନେଇ ଲକ୍ଷ୍ମୀସାଗର ଥାନାରେ ବାର୍‌ ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଏକ ମାମଲା (ନଂ.୩୨୬/୧୯) ରୁଜୁ ହୋଇଛି। ସେହିଭଳି ଲୁଟ୍‌ ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ଥାନାରେ ଆଉ ଏକ ମାମଲା (ନଂ୫୨୨/୧୯) ରୁଜୁ ହୋଇଛି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହ ଅନ୍ୟମାନଙ୍କୁ ଧରିବାକୁ ଚଢ଼ାଉ ଜାରି ରହିଥିବା ଲକ୍ଷ୍ମୀସାଗର ଥାନାଧିକାରୀ ଦୟାନିଧି ନାୟକ କହିଛନ୍ତି।
ତାଙ୍କ ସୂଚନାନୁସାରେ, ରାତି ପ୍ରାୟ ୧୨ଟାରେ ହଠାତ୍‌ କେତେଜଣ ଯୁବକ ବାର୍‌ରେ ଉତ୍ପାତ କରିଥିଲେ। ବାର୍‌ ପକ୍ଷରୁ ନିୟୋଜିତ ବାଉନ୍‌ସରମାନେ ସେମାନଙ୍କୁ ବୁଝାଶୁଝା କରି ଅଟକାଇବାକୁ ଉଦ୍ୟମ କରିଥିଲେ। ହେଲେ ସେମାନେ ବାଉନ୍‌ସରଙ୍କୁ ଠେଲାପେଲା କରି ଆହୁରି ବିଶୃଙ୍ଖଳା ଘଟାଇଥିଲେ। ପରେ ସେମାନଙ୍କର ଆଉ କେତେଜଣ ସହଯୋଗୀ ପହଞ୍ଚତ୍ ସଂଘବଦ୍ଧ ଭାବେ ବାଉନ୍‌ସରମାନଙ୍କୁ ମାଡ଼ ମାରିଥିଲେ। ଏଥିସହ ବାର୍‌ ଭିତରେ ଥିବା ଟେବୁଲ ଓ ବିଭିନ୍ନ ସରଞ୍ଜାମକୁ ଫିଙ୍ଗାଫୋପଡ଼ା କରି ଭାଙ୍ଗି ଦେଇଥିଲେ। ଖବର ପାଇ ପୋଲିସ ପହଞ୍ଚତ୍ବା ବେଳକୁ ସମ୍ପୃକ୍ତ ଯୁବକମାନେ ସେଠାରୁ ଖସି ପଳାଇଥିଲେ। ହେଲେ ବାର୍‌ ଆଖପାଖରେ ଲୁଚି ରହିବା ସହ ରାସ୍ତାରେ ଆଡ୍ଡା ଜମାଇଥିଲେ। ଘଟଣାର କିଛି ସମୟ ପରେ ୨ଜଣ ମହିଳା ବାର୍‌ ଡ୍ୟାନ୍ସର ଏକ ଅଟୋରେ ଘରକୁ ଫେରୁଥିଲେ। ସମ୍ପୃକ୍ତ ଯୁବକମାନେ ସେମାନଙ୍କୁ ପିଛା କରି ବାଟରେ ଅଟକାଇବାକୁ ଚେଷ୍ଟା କରିଥିଲେ। ଶେଷରେ ସତ୍ୟବିହାର କଲୋନୀ ଅଞ୍ଚଳରେ ସେମାନଙ୍କୁ ଅଟକାଇ ଟଣାଓଟରା କରିବା ସହ ମୋବାଇଲ୍‌ ଫୋନ୍‌ ଓ ଭ୍ୟାନିଟି ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ।

Share