ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ଦୋକାନ ଖୋଲାକୁ ବିରୋଧ: ମନ୍ତ୍ରୀଙ୍କ ଘର ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର,୧-୧(ବ୍ୟୁରୋ):ଜିରୋ ଆଓ୍ବାର ସେଲିବ୍ରେଶନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ରାତି ୧ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କଟକ, ଭୁବନେଶ୍ୱର ଓ ପୁରୀ ପୌରାଞ୍ଚଳ ପାଇଁ ଏହି ନିର୍ଦ୍ଦେଶ ରହିଥିଲା। ଏହାକୁ ଛାତ୍ର କଂଗ୍ରେସ ତୀବ୍ର ବିରୋଧ କରିବା ସହ ରାଜରାସ୍ତାକୁ ଓହ୍ଲାଇଛି। କଂଗ୍ରେସ ଭବନରୁ ଶୋଭାଯାତ୍ରାରେ ବାହାରି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଘର ନିକଟରେ ପହଞ୍ଚତ୍ଥିବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଗାନ୍ଧୀଙ୍କ ଫଟୋଧରି ଧାରଣାରେ ବସିଥିଲେ। ନେତା, କର୍ମୀ, ଛାତ୍ର, ଯୁବକମାନେ ମନ୍ତ୍ରୀ ଓ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ପରେ ସେମାନଙ୍କୁ ପୋଲିସ ଉଠାଇ ନେଇ ଛାଡ଼ି ଦେଇଥିଲା। ଏନେଇ ଛାତ୍ର କଂଗ୍ରେସ ନେତା ଦୁର୍ଗାମାଧବ ମହଲା କହିଛନ୍ତି, ସରକାର ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ଦୋକାନ ଖୋଲି ଅପରାଧୀଙ୍କୁ ଅପରାଧ ଘଟାଇବାକୁ ପ୍ରଶ୍ରୟ ଦେଉଛନ୍ତି। ଜିରୋ ନାଇଟ୍‌ରେ ବାଙ୍ଗାଲୋର, ମୁମ୍ବାଇ ପରି ବଡ଼ ବଡ଼ ଅପରାଧ ଭୁବନେଶ୍ୱରରେ ଘଟିବାର ଆଶଙ୍କା ରହିଛି। ସରକାର ରାଜସ୍ବ ଲୋଭରେ ଲୋକଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦେଉନାହାନ୍ତି।
ଅନ୍ୟପକ୍ଷରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ମଧ୍ୟ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ କରାଯାଇଥିଲା। ସେମାନେ ସରକାରଙ୍କ ଏଭଳି ନିଷ୍ପତ୍ତିର ନିନ୍ଦା କରିବା ସହ ସରକାର ମହିଳା ବିରୋଧୀ ବୋଲି ନାରାବାଜି ଦେଇଥିଲେ। କଂଗ୍ରେସ ବିଧାୟକ ସାନ୍ତୋଷ ସିଂ ସାଲୁଜା କହିଛନ୍ତି, ସରକାରଙ୍କର ଏହା ହେଉଛି ଡବଲ ପଲିସି। ଗୋଟିଏ ପଟେ କହୁଛନ୍ତି ମଦ ପିଇ ଗାଡି ଚଲାଇଲେ ସିଧା ଜେଲ, ଏପଟେ ନୂଆବର୍ଷ ପାଇଁ ରାତି ଅଧ ପର୍ଯ୍ୟନ୍ତ ମଦ ଦୋକାନ ଖୋଲୁଛନ୍ତି। ଏଥିଯୋଗୁ ଯେଉଁ ଅପରାଧ, ଦୁର୍ଘଟଣା ଘଟିବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ରାଜ୍ୟ ସରକାରଙ୍କର ଏହା ଏକ ଭୁଲ୍‌ ନିଷ୍ପତ୍ତି। ରାଜ୍ୟରେ ବେଆଇନ ମଦ ଦୋକାନ ବନ୍ଦ କରିବା ବଦଳରେ ସରକାର କିପରି ଏଭଳି ନିଷ୍ପତ୍ତି ନେଲେ ବୋଲି ପ୍ରଶ୍ନ ଉଠାଇ ଏହାକୁ ବିରୋଧ କରିଛନ୍ତି। ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି,ଏହା ଜିରୋନାଇଟ୍‌ ପାଇଁ ଗୋଟିଏ ଦିନ ଖୋଲା ରହିବ, ସବୁ ଦିନ ନୁହେଁ।

Share