ଅବିଭକ୍ତ ଗଞ୍ଜାମ (ଗଜପତି ସହ) ଜିଲାର ପ୍ରାୟ ୭୦% ଜନସାଧାରଣ କେବଳ କୃଷି କାର୍ଯ୍ୟ ଉପରେ ନିର୍ଭର କରନ୍ତି। ତେବେ ଚାଷ ପାଇଁ ସେଚ ବ୍ୟବସ୍ଥାର ପର୍ଯ୍ୟାପ୍ତ ସୁବିଧା ନ ଥିବାରୁ ସେମାନେ ଚିନ୍ତାରେ ଅଛନ୍ତି। ଜଳସେଚନର ଉନ୍ନତୀକରଣ ପାଇଁ ସରକାର ନୂଆ ପ୍ରକଳ୍ପ ନିର୍ମାଣ ନିମନ୍ତେ ପଦକ୍ଷେପ ନେଇଛନ୍ତି। ହେଲେ ଧାର୍ଯ୍ୟ ସମୟରେ ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ ହେଉ ନ ଥିବାରୁ ବ୍ୟୟ ଅଟକଳ ବଢ଼ି ଚାଲିଛି। ସୂଚନାଯୋଗ୍ୟ, ଦୁଇ ଜିଲାର ଚାଷୀଙ୍କ ସମୂହ ସ୍ବାର୍ଥ ପାଇଁ ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ପର୍ବତରୁ ନିର୍ଗତ ଝରଣାକୁ ଅଟକାଇ ଆଦିବାସୀ ଅଧ୍ୟୁଷିତ ଛେଳିଗଡ଼ ନିକଟରେ ଛେଳିଗଡ଼ ଜଳବିଦ୍ୟୁତ ମଧ୍ୟମ ସେଚ ଯୋଜନା ଲାଗି ୧୯୮୦ ଦଶକର ଦ୍ୱିତୀୟ ଭାଗରେ ପ୍ରସ୍ତାବ ରଖାଗଲା ଓ ସର୍ଭେ କାର୍ଯ୍ୟ ଆରମ୍ଭ ହେଲା। ତେବେ ଆଦିବାସୀମାନଙ୍କ ବିସ୍ଥାପନ ସମସ୍ୟା ସୃଷ୍ଟି ହେଲା। ବିଭିନ୍ନ ସଂଗଠନର ଆନ୍ଦୋଳନ ଯୋଗୁ ନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ଦେଖା ଦେଇଥିଲା। ମୂଳ ବ୍ୟୟ ଅଟକଳ ମାତ୍ର ୨୫ରୁ ୩୦ କୋଟି ଟଙ୍କା ହୋଇଥିଲା। ୨୦୦୫ ବେଳକୁ ଏହା ୯୭ କୋଟିକୁ ବୃଦ୍ଧି ପାଇଲା। ବର୍ତ୍ତମାନ ଏହା ୭୦୬ କୋଟିରେ ପହଞ୍ଚିଲାଣି। ଛେଳିଗଡ଼ ପ୍ରକଳ୍ପ ସମ୍ପର୍କିତ ଚତୁର୍ଥ ବିସ୍ଥାପିତଙ୍କ ଥଇଥାନ ଓ ଉପାନ୍ତ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା କମିଟି ବୈଠକର ବିବରଣୀରୁ ଏହି ତଥ୍ୟ ପ୍ରକାଶ ପାଇଛି। ଏବେ ନିର୍ମାଣକୁ ଗୁରୁତ୍ୱ ଦିଆଯାଇଛି ଓ କେବେ ସରିବ ତାହା ମଧ୍ୟ ଅନିଶ୍ଚିତ ହୋଇଯାଇଛି। ଛେଳିଗଡ଼ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଗଜପତି ଜିଲାର ମୋହନା ଓ ଆର.ଉଦୟଗିରି ଏବଂ ଗଞ୍ଜାମ ଜିଲାର ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକର ୩,୬୦୦ ହେକ୍ଟର ଜମିକୁ ସେଚ ବ୍ୟବସ୍ଥା ହେବ। ଏଥିସହ ଦୈନିକ ୩୦ ମେଗାୱାଟ୍ ବିଦ୍ୟୁତ୍ ଉପତ୍ାଦିତ ହୋଇପାରିବ। ସେହିପରି ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକର ଆଦିବାସୀ ଅଞ୍ଚଳ କଙ୍କିଆ ଓ ଟାମଣା ନିକଟ ଘଟକେଶ୍ୱର ମଧ୍ୟମ ଜଳସେଚନ ଯୋଜନା ପାଇଁ ୧୯୮୭ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଅନୁମତି ମିଳିବାରେ ବିଳମ୍ବ ଏବଂ ବିସ୍ଥାପିତ ହେବାକୁ ଥିବା ଆଦିବାସୀଙ୍କ ବିରୋଧ ଯୋଗୁ ସମସ୍ୟା ଦେଖାଦେଇଥିଲା। ସମାଧାନ ପାଇଁ ପଦକ୍ଷେପ ନିଆଯିବାରୁ ୨୦୧୬ରେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟଥର ଶୁଭ ଦେଇଥିଲେ। ବହୁ ବିଳମ୍ବରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ମୂଳ ବ୍ୟୟ ଅଟକଳ ମାତ୍ର ୧୦ କୋଟି ଟଙ୍କାରୁ ଏବେ ୧୧୯ କୋଟିକୁ ବୃଦ୍ଧି ପାଇଛି। ଯୋଜନା ସମ୍ପୂର୍ଣ୍ଣ ହେଲେ କୁକୁଡ଼ାଖଣ୍ଡି ଓ ରଙ୍ଗେଇଲୁଣ୍ଡା ବ୍ଲକରେ ୫ ଶହ ହେକ୍ଟର ଜମି ଜଳସେଚିତ ହେବ ଏବଂ ବ୍ରହ୍ମପୁର ସହରର ୭୫ ହଜାର ଲୋକଙ୍କୁ ପିଇବା ପାଣି ଯୋଗାଣ ହୋଇପାରିବାର ନକ୍ସା ପ୍ରସ୍ତୁତ ହୋଇଛି। ତେବେ ବିଳମ୍ବ ଯୋଗୁ ବ୍ୟୟ ଅଟକଳ ବହୁ ପରିମାଣ ବୃଦ୍ଧି ପାଇଛି। ଯଦି ଏହି ଦୁଇ ପ୍ରକଳ୍ପ କାମ ଆହୁରି ବିଳମ୍ବ ହୁଏ ତେବେ ଖର୍ଚ୍ଚ ବଢ଼ିବ ବୋଲି ଆଶଙ୍କା କରାଯାଉଛି।
– ନରସିଂହ ସାହୁ