ତିହିଡ଼ି,୬।୨(ଡି.ଏନ୍.ଏ.) : ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧାସ୍ଥିତ ବିରଞ୍ଚି ନାରାୟଣ ମାଧବ ଅର୍ଜୁନ କଲେଜର ଛାତ୍ରୀଛାତ୍ର ଗୁରୁବାର ମଧ୍ୟାହ୍ନରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ବିଶୃଙ୍ଖଳିତ କିଛି ଛାତ୍ରୀଛାତ୍ରଙ୍କୁ କଲେଜରୁ ବହିଷ୍କାର ଦାବିରେ ଏହି ଆନ୍ଦୋଳନ କରାଯାଇଛି। ଅଧ୍ୟକ୍ଷ ଡ.ଅଜିଜୁର ରହେମାନ ଉତ୍ତ୍ୟକ୍ତ ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି।
ସୂଚନାଯୋଗ୍ୟ, କେତେକ ଛାତ୍ରୀ ସୋମବାର ଅପରାହ୍ନରେ ଏସ୍ପିଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲେ। କଲେଜରେ ଅନିୟମିତତା ଏବଂ ସେମାନଙ୍କୁ କଲେଜରେ ଦୁର୍ବ୍ୟବହାର ପ୍ରତିବାଦରେ ଛାତ୍ରୀମାନେ ଏପରି ପଦକ୍ଷେପ ନେଇଥିଲେ। ତେବେ ଛାତ୍ରୀଙ୍କ ଏହି କାର୍ଯ୍ୟ ପାଇଁ କଲେଜ ବଦନାମ ହେଉଥିବାରୁ ସେମାନଙ୍କୁ ବହିଷ୍କାର ଦାବି କରି ଅନ୍ୟ ଛାତ୍ରୀଛାତ୍ର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।