ବିଶୃଙ୍ଖଳିତ ସଦସ୍ୟଙ୍କ ପାଇଁ ଆସୁ ଆଇନ: ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର,୨୯।୮(ବ୍ୟୁରୋ): ପାର୍ଲାମେଣ୍ଟ ତଥା ରାଜ୍ୟଗୁଡିକର ବିଧାନସଭା ଚାଲିଥିବା ସମୟରେ ଅନେକ ସଦସ୍ୟ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥାଆନ୍ତି। ଏହାଦ୍ୱାରା ଭାରତୀୟ ଗଣତନ୍ତ୍ରର ମହାନ ସଂସଦୀୟ ପରମ୍ପରା ତାହାର ଗୁରୁତ୍ୱ ହରାଇଥାଏ, ତେଣୁ ଏଭଳି ସଦସ୍ୟମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯାଉ। ଏଥିପାଇଁ ଆବଶ୍ୟକ ଆଇନ ଅଣାଯାଉ ବୋଲି ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବୁଧବାର କହିଛନ୍ତି। ପାର୍ଲାମେଣ୍ଟ ଏବଂ ବିଧାନସଭା କାର୍ଯ୍ୟାବଳୀ ପ୍ରସଙ୍ଗରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀର ସଂସଦ ଭବନରେ ହୋଇଥିବା ବୈଠକରେ ସୂର୍ଯ୍ୟ ଏହି ଦାବି ଉପସ୍ଥାପନ କରିଛନ୍ତି। ଏହି ବୈଠକରେ ଶୃଙ୍ଖଳିତ ସଂସଦୀୟ କାର୍ଯ୍ୟସହ ଆଇନସଭାଗୁଡିକର ଡିଜିଟାଇଲାଇଜେସନ ଉପରେ ଗୁରୁତ୍ୱ ଦେଇଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ମତ ଦେଇ ସୂର୍ଯ୍ୟ କହିଥିଲେ, ଗୃହର ସଦସ୍ୟମାନଙ୍କ ଦ୍ୱାରା ବିଶ୍‌ୃଙ୍ଖଳା କରାଯାଉଥିବାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ। ତେଣୁ ଏଭଳି ସଦସ୍ୟ ତୁରନ୍ତ ନିଲମ୍ବିତ ହେବା ଆବଶ୍ୟକ। ସେହିପରି ସାରା ଦେଶରେ ବିଶ୍‌ଙ୍ଖଳିତ ସଦସ୍ୟମାନଙ୍କ ପାଇଁ ଏକକ ଆଇନ ଲାଗୁ କରିବା ସପକ୍ଷରେ ସୂର୍ଯ୍ୟ ମତ ରଖିଥିଲେ। ସେହିପରି ଆସନ୍ତା ସେପ୍ଟେମ୍ବର ୨୨ରୁ ୨୯ ପର୍ଯ୍ୟନ୍ତ ଉଗାଣ୍ଡାର ରାଜଧାନୀ କାମ୍ପାଲାଠାରେ ୬୪ତମ ରାଜ୍ୟ ଗୋଷ୍ଠୀ ସଂସଦୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ଯୋଗଦେବାକୁ ଥିବା ଭାରତୀୟ ପ୍ରତିନିଧିଙ୍କୁ ଏହି ସମ୍ମିଳନୀ ସମ୍ପର୍କରେ ସମ୍ୟକ ସୂଚନା ଏହି ବୈଠକରେ ପ୍ରଦାନ କରାଯାଇଥିଲା। ପ୍ରଦାନ ବାଚସ୍ପତିମାନଙ୍କ ପରିବର୍ତ୍ତୀ ବୈଠକ ଆସନ୍ତା ନଭେମ୍ବର ୧୨ ଏବଂ ୧୩ରେ ଡେରାଡୁନ୍‌ଠାରେ ଅନୁଷ୍ଠିତ ହେବ। ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଏହାର ଅଧ୍ୟକ୍ଷତା କରିବେ। ବିଶୃଙ୍ଖଳିତ ସଦସ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମିତ୍ତ ଆଇନ ପ୍ରଣୟନ ପାଇଁ ବାଚସ୍ପତି ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି।