ଦିଗପହଣ୍ଡି,୬ା୫(ଡି.ଏନ୍.ଏ.)- ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ବାଳିକା ହାଇସ୍କୁଲ ପରିସରରେ ଥିବା କ୍ବାରାଣ୍ଟାଇନ ସେଣ୍ଟର ପରିଦର୍ଶନ କରିଛନ୍ତି ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ। ବୁଧବାର ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ, ବିଡ଼ିଓ ହଳଧର ଶବର, ସରପଞ୍ଚ ବି.କ୍ରିଷ୍ଣା ରାଓ ସୁବୁଦ୍ଧିଙ୍କ ଉପସ୍ଥିତିରେ ଉପଜିଲାପାଳ ସେଠାରେ ରନ୍ଧାଖାଦ୍ୟ ଓ ଆନୁଷଙ୍ଗିକ ସୁବିଧା ତଦାରଖ କରିଥିଲେ। ପୂର୍ବରୁ ସେ ସିଦ୍ଧେଶ୍ୱର, ଗୋକର୍ଣ୍ଣପୁର ଗ୍ରାମ ସ୍ଥିତ କ୍ବାରାଣ୍ଟାଇନ ସେଣ୍ଟର ଗୁଡ଼ିକୁ ପରିଦର୍ଶନ କରି ପ୍ରବାସୀ ଶ୍ରମିକଙ୍କ ସହ ସବିଶେଷ ଆଲୋଚନା କରି ବିଶୃଙ୍ଖଳିତ ନ ହେବାକୁ ପରାମର୍ଶ ଦେଇଥିଲେ।
ସିଦ୍ଧେଶ୍ୱର କ୍ବାରାଣ୍ଟାଇନ ସେଣ୍ଟରରେ କିଛି ପ୍ରବାସୀ ଶ୍ରମିକ ବାରମ୍ବାର ବିଶୃଙ୍ଖଳା କରୁଥିବା ନେଇ ସରପଞ୍ଚ ପ୍ରତିନିଧି ସରୋଜ କୁମାର ଜେନା ଅଭିଯୋଗ କରିଥିଲେ। ପରେ ସମ୍ପୃକ୍ତ ସୁରଟ ଫେରନ୍ତା ଯୁବକଙ୍କୁ ଚିହ୍ନଟ କରାଯାଇ ଭୀଷ୍ମଗିରୀ କ୍ବାରାଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଥିଲା। ପୁଣି ବିଶୃଙ୍ଖଳା କଲେ ସୁଦୂର ମାଲକାନଗିରି ଜିଲା କ୍ବାରାଣ୍ଟାଇନ ସେଣ୍ଟରକୁ ପଠାଇ ଦିଆଯିବ ବୋଲି ସେ ଚେତାବନୀ ଦେଇଥିଲେ।