Categories: ବାଣିଜ୍ୟ

ବିଶେଷଜ୍ଞଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି;ଅର୍ଥ ବ୍ୟବସ୍ଥା ପାଇଁ ମାନସ ମନ୍ଥନ

ନୂଆଦିଲ୍ଲୀ,୧୦-୧: ଆଗାମୀ ୨୦୨୪-୨୫ ସୁଦ୍ଧା ଦେଶର ଅର୍ଥବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବା ଲାଗି ସରକାର ଯୋଜନା ଧାର୍ଯ୍ୟ କରିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ ଏହି ଲକ୍ଷ୍ୟ ହାସଲ ଲାଗି ଅଂଶୀଦାରମାନେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆହ୍ବନ ଜଣାଇଛନ୍ତି। ବଜେଟର ଅବ୍ୟବହିତ ପୂର୍ବରୁ ନୀତି ଆୟୋଗର ପ୍ରାକ ବଜେଟ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତୀୟ ଅର୍ଥବ୍ୟବସ୍ଥାର ଦୃଢ ଅବଶୋଷକ କ୍ଷମତା ରହିଛି। ସୁଦୃଢ ମୂଳଦୁଆ ଏବଂ ପୁନଃ ପ୍ରଗତି ହାସଲ କରିବା କ୍ଷମତାକୁ ଘରୋଇ ବଜାର ଦର୍ଶାଇଥାଏ। ଏସବୁ ବିଭିନ୍ନ ପ୍ରସଙ୍ଗକୁ ବିଚାର କଲେ ଘରୋଇ ବଜାର ଶୀଘ୍ର ଅଭିବୃଦ୍ଧି ପଥକୁ ଫେରିବ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ବିକାଶ ଧାରାକୁ ଆଗେଇନେବା ଲାଗି ସମସ୍ତଙ୍କୁ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି। ପର୍ଯ୍ୟଟନ, ସହରୀ ବିକାଶ, ଭିତ୍ତିଭୂମି ଏବଂ କୃଷି ଉଦ୍ୟୋଗ ଭଳି କ୍ଷେତ୍ରରେ ଦେଶର ଅର୍ଥ ବ୍ୟବସ୍ଥାକୁ ଆଗେଇ ନେବା ଏବଂ ନିଯୁକ୍ତି ସୃଷ୍ଟି କରିବାର ବିପୁଳ ସମ୍ଭାବନା ରହିଛି। ଭାରତକୁ ଅପାର ସମ୍ଭାବନା ଭୂମି ଭାବେ ବିଚାର କରି ଅଂଶୀଦାରମାନେ ବାସ୍ତବତା ଏବଂ ଅବଧାରଣା ମଧ୍ୟରେ ରହିଥିବା ଶୂନ୍ୟସ୍ଥାନ ପୂରଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।
ବୈଠକରେ ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ବିବେକ ଦେବରୟ କୃଷି ଏବଂ ଭିତ୍ତିଭୂମି କ୍ଷେତ୍ର ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବରିଷ୍ଠ ଅର୍ଥନୀତିଜ୍ଞ, ଘରୋଇ ଇକ୍ୱିଟି, ଭେଞ୍ଚର କ୍ୟାପିଟାଲିଷ୍ଟ, ଉତ୍ପାଦନ, ଭ୍ରମଣ ଏବଂ ପର୍ଯ୍ୟଟନ, ପୋଷାକ ଓ ଏଫ୍‌ଏମ୍‌ସିଜି କ୍ଷେତ୍ରରେ ବ୍ୟବସାୟ ନେତୃବୃନ୍ଦ, ବିଶ୍ଲେଷକ ସମେତ କୃଷି, ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ଅର୍ଥ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଥିଲେ। ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନେ ପ୍ରାୟ ୨ ଘଣ୍ଟା ଧରି ଆଲୋଚନାରେ ସାମିଲ ହେବା ସହ ସେମାନଙ୍କ ଅଭିଜ୍ଞତା ପ୍ରକାଶ କରିଥିଲେ।
ଚଳିତ ଆର୍ଥତ୍କ ବର୍ଷରେ ଦେଶର ବିକାଶ ହାର ୧୧ ବର୍ଷର ସର୍ବନିମ୍ନ ସ୍ତର ୫% ରହିବ ବୋଲି ସରକାରୀ ଆକଳନ କରାଯାଇଛି। ଏଥିରେ ସୁଧାର ଆଣିବା ନେଇ ସରକାର ବିଭିନ୍ନ ପ୍ରସ୍ତାବ ଗ୍ରହଣ କରୁଛନ୍ତି। ଏହି ଆଧାରରେ ସୋମବାର ପ୍ରଧାନମନ୍ତ୍ରୀ ଦେଶର ଶିଳ୍ପ ଲିଡରମାନଙ୍କୁ ଭେଟି ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ଭଳି ବିଭିନ୍ନ ଦିଗ ଉପରେ ମତାମତ ଲୋଡିବା ସହ ଆଲୋଚନା କରିଥିଲେ। ଫେବୃୟାରୀ ପହିଲାରେ ନିର୍ମଳା ସୀତାରାମନ ସାଧାରଣ ବଜେଟ ଉପସ୍ଥାପନ କରିବେ ବୋଲି ଜଣାପଡିଛି। ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର, ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

Share