Advertisement

ବିଶେଷ ଧରଣର ଟୋପି ପିନ୍ଧି ସାମାଜିକ ଦୂରତ୍ୱ ରକ୍ଷାକଲେ ଚାଇନା ଛାତ୍ରୀଛାତ୍ର

ବେଜିଂ,୨।୫: ବିଗତ ୪ ମାସ ଧରି କରୋନା ସଂକ୍ରମଣରେ ଛଟପଟ ହେଉଥିବା ଚାଇନା ଏକ ପ୍ରକାର ଏହି ଯୁଦ୍ଧରେ ବିଜୟୀ ହୋଇଛି ବୋଲି କହୁଥିବା ବେଳେ ଏବେବି ସେଠି କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା ଖବର ବେଳେ ବେଳେ ନଜରକୁ ଆସୁଛି। ତେବେ କରୋନା ସଂକ୍ରମଣକୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଦେବା ପାଇଁ ଏବେବି ଚାଇନା ତା’ର ଚେଷ୍ଟା ଜାରି ରଖିଛି। ଅନେକ ପରିମାଣରେ ଚାଇନାର ଜନଜୀବନ ସ୍ବାଭାବିକ ହେଉଥିବା ବେଳେ ପିଲାମାନେ ସ୍କୁଲ ଯିବା ଆରମ୍ଭ କରିଦେଇଛନ୍ତି। ହେଲେ ଏମାନେ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦେବା ସହ ମୁହଁରେ ମାସ୍କ ପିନ୍ଧିଥିବା ଦେଖାଯାଇଛି। ସୋସିଆଲ ଡିଷ୍ଟାନସିଂ ପାଇଁ ଏମାନେ ଏକ ବିଶେଷ ଧରଣର ଟୋପି ପିନ୍ଧିଛନ୍ତି। ଯେଉଁଥିରେ ଦୁଇପଟରେ ପାଖାପାଖି ୩ଫୁଟ ଲମ୍ବାର ଏକ ବାଡି ଲାଗିଥିବା ଦେଖିଯାଇଛି। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। କୁହାଯାଉଛି ସାଁଗ ବଂଶର ରାଜୁତି ସମୟରେ ଏଭଳି ଧରଣର ଟୋପି ବ୍ୟବହାର କରାଯାଉଥିଲା। ଚାଇନା ଅଦାଲତରେ ବସୁଥିବା ଅଧିକାରୀମାନେ ଏମିତି ଟୋପି ପୂର୍ବରୁ ବ୍ୟବହାର କରୁଥିଲେ। ଏହାର କାରଣ ଥିଲା ଅଦାଲତ ଭିତରେ କେହି କାହା କାନ ପାଖରେ ଯେମିତି କିଛି କଥା ହୋଇ ନ ପାରନ୍ତି। ଆଉ ଏବେ ସୋସିଆଲ ଡିଷ୍ଟାନସିଂ ପାଇଁ ଏହା ବ୍ୟବହାର କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share