ବିଶୋଇ ବ୍ଲକ ଛକରେ ଓଭରବ୍ରିଜ ନିର୍ମାଣ ଦାବି ଜୋର ଧରିଲା : ୨୩ରେ ରାସ୍ତାରୋକୋ ଆନ୍ଦୋଳନ

ବିଶୋଇ,୧୩ା୧୨(ଡି.ଏନ୍‌.ଏ.) – ୪୯ ନଂ ଜାତୀୟ ରାଜପଥର ବିଶୋଇ ବ୍ଲକ ଛକରେ ଓଭରବ୍ରିଜ ନିର୍ମାଣ ଲାଗି ଦାବି ଜୋର ଧରିଛି। ପୂର୍ବରୁ ଏନେଇ ଏନଏଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନ ନେବାରୁ ଜନ ଅସନ୍ତୋଷ ଆନ୍ଦୋଳନର ରୂପ ନେବାକୁ ଯାଉଛି। ଆସନ୍ତା ୨୩ ତାରିଖରେ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ବ୍ଲକ ଅଧ୍ୟକ୍ଷା ତୁଳସୀ ଶିକ୍ରି ହାଁସଦାଙ୍କ ନେତୃତ୍ୱରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗୁରୁବାର ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାରସକଣା ବିଧାୟକ ଡାକ୍ତର ବୁଢ଼ାନ ମୁର୍ମୁ, ଏଲଏଣ୍ଡଟି ବିଶୋଇ ସେକ୍ସନ ଅଧିକାରୀ ମାନସ ରଞ୍ଜନ ରାଉତ, ବରିଷ୍ଠ ଆଇନଜୀବୀ ସଞ୍ଜୀବ ମହାନ୍ତି, ଜିଲା ପରିଷଦ ସଦସ୍ୟ ଗୁରୁବା ମୁର୍ମୁ, ବିଶୋଇ ସରପଞ୍ଚଙ୍କ ପ୍ରତିନିଧି ହରିମୋହନ ନାଏକ, ଜୁରିଲାଲ ମହାନ୍ତ, ପଞ୍ଚାୟତ ସମିତି ସଦସ୍ୟା ବିନ୍ଦୁସ୍ମିତା ଦେଓ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଚୈତନ୍ୟ ହାଁସଦା, ସମାଜସେବୀ ଉତ୍କଳ ରଞ୍ଜନ ମହାନ୍ତି, ନାରାୟଣ ମହାପାତ୍ର, ଖେଲାରାମ ଟୁଡୁଙ୍କ ସମେତ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ। ବ୍ଲକ ଅଧ୍ୟକ୍ଷାଙ୍କ ମାଧ୍ୟମରେ ଏକ ଦାବିପତ୍ର ଏନଏଚ କର୍ତ୍ତୃପକ୍ଷ, ବିଭାଗୀୟ କେନ୍ଦ୍ରମନ୍ତ୍ରୀ ନିତୀନ ଗଡ଼କାରୀଙ୍କ ସମେତ ପିଡ଼ି,ଏନଏଚଆଇ ବାଲେଶ୍ୱର, ମୟୂରଭଞ୍ଜ ଜିଲାପାଳ, ମୟୂରଭଞ୍ଜ ଏମ୍‌ପି, ସାରସକଣା ବିଧାୟକ, ପୋଲିସ ବିଭାଗ ଓ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି। ଆଗାମୀ ୧୦ ଦିନ ମଧ୍ୟରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ବିହିତ ପଦକ୍ଷେପ ଗ୍ରହଣ ନ କଲେ ରାଜପଥ ଅବରୋଧ କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।