ବିଶୋଇ ଭାଜପା ପକ୍ଷରୁ ବିକ୍ଷୋଭ

ବିଶୋଇ,୨ା୮(ଡି.ଏନ୍‌.ଏ.)- ବିଶୋଇ ବ୍ଲକର ବିଭିନ୍ନ ସମସ୍ୟା ନେଇ ଶୁକ୍ରବାର ଭାଜପା ପକ୍ଷରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଭିନ୍ନ ଅଭିଯୋଗ ସମ୍ମିଳିତ ଏକ ସ୍ମାରକପତ୍ର ବିଡ଼ିଓ ବିବୁଧ ଗଡ଼ନାୟକଙ୍କୁ ପ୍ରଦାନ କରାଯାଇଛି। ଭାଜପାର ଅଭିଯୋଗ ଅନୁଯାୟୀ, ବିଭିନ୍ନ ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ବର୍ଷ ବର୍ଷ ଧରି ଅଚଳ ଅବସ୍ଥାରେ ପଡିରହିଛି । ଫଳରେ ଜନସାଧାରଣ ଜଳକଷ୍ଟ ଭୋଗୁଛନ୍ତି। ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କିଛି ନିର୍ଦ୍ଦିଷ୍ଟ ଠିକାଦାର ଗୋଷ୍ଠୀଙ୍କ ନିର୍ଦ୍ଦେଶରେ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବଦଳି ହୋଇଥିଲେ ମଧ୍ୟ ଜଣେ ନିର୍ଦ୍ଦିଷ୍ଟ ଯନ୍ତ୍ରୀ ଏହି ବ୍ଲକ ଛାଡି ନ ଯିବା ଜନସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। କୃଷକମାନଙ୍କ ନିମନ୍ତେ ଆସୁଥିବା ବିଭିନ୍ନ ସରକାରୀ ଯୋଜନା ତଥା ବିହନ,ସାର ଓ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ସୁବିଧା ବାଟବଣା ହେଉଥିବା ସ୍ମାରକପତ୍ରରେ ଦର୍ଶାଯାଇଛି। ବ୍ଲକ ଭାଜପା ସଭାପତି ବଂଶୀଧର ଦାସଙ୍କ ନେତୃତ୍ୱରେ ଜିଲା ପରିଷଦ ସଦସ୍ୟ ଗୁରୁବା ମୁର୍ମୁ ଓ ନାନିକା ନାଏକ, ଉମାକାନ୍ତ ନନ୍ଦ, ଜିଲା ସାଧାରଣ ସଂଯୋଜକ ଜୁରିଲାଲ ମହାନ୍ତ, ରାଜ୍ୟ ସମିତି ସଦସ୍ୟ ସଞ୍ଜୀବ ମହାନ୍ତି, ଗଜେନ୍ଦ୍ର ବେହେରାଙ୍କ ସମେତ ବହୁ କର୍ମୀ ବିକ୍ଷୋଭ ପ୍ରଦର୍ଶନ ସମୟରେ ଉପସ୍ଥିତ ଥିଲେ।